୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଓ ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍‍ ଗ୍ରହଣ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଶେଷ

0 1,126

ନୂଆଦିଲ୍ଲୀ – ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଓ ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍‍ ଗ୍ରହଣ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ସତରା ଓ ସମସ୍ତିପୁର ଲୋକସଭା ଆସନ ସମେତ ୧୭ଟି ରାଜ୍ୟରେ ୫୧ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ମଧ୍ୟ
ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି ।
ମହାରାଷ୍ଟ୍ରରେ ଶତକଡ଼ା ୬୦ଭାଗ ଭୋଟ୍‍ ପଡ଼ିଥିବା ବେଳେ ହରିଆଣାରେ ଶତକଡ଼ା ୬୮ଭାଗ ଭୋଟ୍‍ ପଡ଼ିଥିବାର ଖବର ମିଳିଛି । ଉପନିର୍ବାଚନ କମିଶନର ସନ୍ଦୀପ ସାକସେନା ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଭୋଟ୍‍ ଗ୍ରହଣ ଶତାଂଶ ବୃଦ୍ଧି ପାଇବାର ଆଶା କରାଯାଉଛି । ଉପନିର୍ବାଚନ କମିଶନର ଉମେଶ ସିହ୍ନା କହିଛନ୍ତି, ଉଭୟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ଭୋଟ୍‍ ଗ୍ରହଣ ଶେଷ ହୋଇଛି । ସେ କହିଛନ୍ତି, ନକ୍ସଲ ଉପଦୃତ ଅଞ୍ଚଳଗୁଡ଼ିକରେ ମଧ୍ୟ କୌଣସି ପ୍ରକାର ଅସୁବିଧା ହୋଇନାହିଁ । ମହାରାଷ୍ଟ୍ରରେ ବିଜେପି ୧୮୬ଟି ଆସନରେ ପ୍ରାର୍ଥୀ ଛିଡ଼ା କରାଇଥିବା ବେଳେ ଛୋଟ ଛୋଟ ଅଂଶିଦାର ଦଳଗୁଡ଼ିକ ୧୮ଟି ଆସନରେ
ପ୍ରାର୍ଥୀ ଛିଡ଼ା କରାଇଛନ୍ତି । ଶିବସେନା ୧୨୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି । କଂଗ୍ରେସ ୧୪୭ଟି ଆସନରେ ପ୍ରାର୍ଥୀ ଛିଡ଼ା କରାଇଥିବାବେଳେ ଅଂଶିଦାର ଦଳ ଏନ୍‍.ସି.ପି. ୧୨୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି ।
ବି.ଏସ୍‍.ପି. ୨୨୬ଜଣ ପ୍ରାର୍ଥୀ ଛିଡ଼ା କରିଥିବା ବେଳେ ମହାରାଷ୍ଟ୍ର ନବନିର୍ମାଣ ସେନା ୧୦୧ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଛିଡ଼ା କରିଛି । ୧୪ଶହ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ହରିଆଣାରେ ୧୦୪ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୧୧ଶହ ୬୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବିଜେପି
ଓ କଂଗ୍ରେସ ଉଭୟ ୯୦ଟି ଯାକ ଆସନରୁ ପ୍ରାର୍ଥୀ ଛିଡ଼ା କରାଇଛନ୍ତି । ଇଣ୍ଡିଆନ୍‍ ନ୍ୟାସନାଲ୍‍ ଲୋକଦଳ ଶିରୋମଣି ଅକାଳୀ ଦଳ ସହିତ ସହଭାଗିତାରେ ୮୧ଟି ଆସନରେ ପ୍ରାର୍ଥୀ ଛିଡ଼ା କରାଇଛି । ଆସନ୍ତା ଗୁରୁବାର
ଦିନ ଭୋଟ୍‍ ଗଣତି ପାଇଁ ଏବେ ପ୍ରସ୍ତୁତି ଆଗେଇ ଚାଲିଛି ।

Leave A Reply