କାଲି ସନ୍ଧ୍ୟାରେ ପୁରୀ ଛୁଇଁବ ଫୋନି, ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଶୁକ୍ରବାର ସନ୍ଧ୍ୟା ୫ଟା ୩୦ରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯିବା ପରେ ଉପକୂଳବର୍ତ୍ତୀ ଜିଲ୍ଳା ଯଥା ପୁରୀ, ଗଂଜାମ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଲୋକଙ୍କ ମନୟରେ ଭୟ ପ୍ରବେଶ କରିଛି । ପାଣିପାଗ ପକ୍ଷରୁ ସଦ୍ୟତମ ଜାରି ହୋଇଥିବା ବୁଲେଟିନରେ କୁହାଯାଇଛି ଯେ, ଫୋନି ଏବେ ପୁରୀର ଦକ୍ଷିଣ-ଦକ୍ଷିଣପଶ୍ଚିମ ଠାରୁ ୪୨୦ କିଲୋମିଟର ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଦକ୍ଷିଣ-ଦକ୍ଷିଣପୂର୍ବରୁ ୨୧୦ କିଲୋମିଟର ଦୂରରେ ଅଛି । ସେହିପରି ପଶ୍ଚିମବଙ୍ଗର ଦିଘାଠାରୁ ୬୧୦ କିଲୋମିଟର ଦୂରରେ ଅଛି ।
ବାତ୍ୟା ଶୁକ୍ରବାର ସନ୍ଧ୍ୟାରେ ପହଂଚିବା ପୂର୍ବରୁ ଓଡ଼ିଶା ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ୮ ଲକ୍ଷ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି । ଏହି ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଯାଇଛି । କେବଳ ପୁରୀ ଜିଲ୍ଲାରେ ଲକ୍ଷାଧିକ ଲୋକ ବାତ୍ୟାଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହେଉଛନ୍ତି । ଆଶ୍ରୟସ୍ଥଳରେ ଲୋକଙ୍କୁ ସୁଖିଲା ଖାଦ୍ୟ ବ୍ୟତୀତ ରନ୍ଧାଖାଦ୍ୟ ଦିଆଯିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ବାତ୍ୟା ଓ ବାତ୍ୟା ପରେ ବନ୍ୟାକୁ ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ ଓ ଅଗ୍ନିଶମ ବିଭାଗ ପ୍ରସ୍ତୁତ ଅଛନ୍ତି ।
ଅନ୍ୟପକ୍ଷରେ ବାତ୍ୟାର ପୂର୍ବାଭାସ ଗୁରୁବାର ପୂର୍ବାହ୍ଣରେ ଦେଖାଯାଇଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଂଚଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଛି । ଗଙ୍ଗାଦେବୀ, ପୀରଜାହାନିଆ ଠାରେ ନିତିଦିନିଆ ଜୁଆର ଅପେକ୍ଷା ପାଣିର ସ୍ତର ବଢ଼ିଛି ।