ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ

98

ଆଣ୍ଡାମାନ ସାଗର ଓ ପାଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମ୍ଭାବ୍ୟ ବାତ୍ୟା ୧୦ ତାରିଖ ସୁଦ୍ଧା ଉପକୂଳ ଛୁଇଁପାରେ । କିନ୍ତୁ ଏହା କେଉଁଠି ସ୍ଥଳଭାଗ ଛୁଇଁବ, ତାହା ଏ ଯାଏ ସ୍ପଷ୍ଟ ହୋଇନି । ତେବେ ଆଜି ଅବପାତରେ ପରିଣତ ହେବା ପରେ ଏନେଇ ଅଧି୍‍କ ସ୍ପଷ୍ଟତା ଆସିବ । ୧୦ ତାରିଖ ଦିନ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।


ଏହାସହ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।


ଆସନ୍ତା ସୋମବାର ଓ ମଙ୍ଗଳବାର କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି । ବାତ୍ୟା ମୁକାବିଲା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ୧୮ଟି ଏନ୍‍ଡିଆର୍‍ଏଫ୍‍, ୨୦ଟି ଓଡ୍ରାଫ ଓ ୧୭୫ଟି ଅଗ୍ନିଶମ ଦଳକୁ ପ୍ରସ୍ତୁତ କରି ରଖାଯାଇଛି । ଆବଶ୍ୟକ ପଡିଲେ ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ । ଏଥିସହ ଶକ୍ତି, ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବିଦ୍ୟୁତ୍‍ ଯୋଗାଣକାରୀ ସଂସ୍ଥାମାନେ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି । ଜନସାଧାରଣ ବାତ୍ୟା ପାଇଁ ଭୟଭୀତ ନ ହେବା ଓ ଗୁଜବରେ ବିଶ୍ୱାସ ନ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।



ସମ୍ଭାବ୍ୟ ବାତ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବାତ୍ୟା ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ବଳ ଥିବା ନଦୀ ଓ କେନାଲ ବନ୍ଧଗୁଡ଼ିକ ପ୍ରତି ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ବାତ୍ୟା ଯୋଗୁଁ ବନ୍ୟା କିମ୍ବା ଅନ୍ୟାନ୍ୟ କୌଣସି ସମସ୍ୟା ହେଲେ ତୁରନ୍ତ ଏହାର ସମାଧାନ ପାଇଁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ରାଜ୍ୟ ମୁଖ୍ୟାଳୟରୁ ବ୍ଲକ ପର୍ଯ୍ୟନ୍ତ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ୧୮ଟି ଜିଲ୍ଲାର ବ୍ଲକଗୁଡ଼ିରେ ପ୍ରସ୍ତୁତି ଆରମ୍ଭ ହେବା ସହ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲା ରହିବ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.