୨୯ରେ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ, ରାଜଭବନରେ ହେବ ସମାରୋହ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଆଗାମୀ ୨୯ ତାରିଖରେ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନୂତନ ସରକାର ଗଢ଼ିବା ପାଇଁ ଶୁକ୍ରବାର ନିଜର ଇସ୍ତଫା ପତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦେଇଛନ୍ତି । ନବୀନଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳ ଗଣେଶୀଲାଲ ଗ୍ରହଣ କରିଛନ୍ତି । ରାଜଭବନ ପରିସରରେ ମେ’ ମାସ ୨୯ ପୂବାହ୍ନରେ ନବୀନଙ୍କ ଶପଥ ଗ୍ରହଣ ସମାରୋହ ନିରାଡାମ୍ବର ସହ ଅନୁଷ୍ଠିତ ହେବ । ସୂତ୍ର ଅନୁସାରେ ନବୀନଙ୍କ ସହିତ ତାଙ୍କର କ୍ୟାବିନେଟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା ମନ୍ତ୍ରୀମାନେ ମଧ୍ୟ ସେଦିନ ଶପଥ ଗ୍ରହଣ କରିପାରନ୍ତି ।
ନବୀନ ପଟ୍ଟନାୟକ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ରବିବାର ବିଜେଡି ବିଧାୟକ ଦଳର ବୈଠକ ହେବ । ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ଏହି ସୂଚନା ଦେଇଛନ୍ତି । ବୈଠକରେ କ୍ୟାବିନେଟ ମନ୍ତ୍ରୀ ପାଇଁ ବିଧାୟକଙ୍କୁ ଚୟନ କରାଯାଇପାରେ । ସୂଚନାଯୋଗ୍ୟ ଚଳିତ ବିଧାନସଭା ନିର୍ବାଚନରେ ବିଜେଡ଼ି ୧୧୨ଟି ଆସନରେ ବିଜୟ ହାସଲ କରିଛି, ଯାହାକି ପୂର୍ବର ରେକର୍ଡକୁ ଅତିକ୍ରମ କରିଛି ବୋଲି କୁହାଯାଉଛି । ଲୋକସଭା ନିର୍ବାଚନରେ ବିଜେଡି ଯେଭଳି ପ୍ରଦର୍ଶନ କରିବ ବୋଲି ଆଶା କରିଥିଲା, ତାହା ହୋଇପାରି ନାହିଁ । ଓଡ଼ିଶାରେ ଲୋକସଭା ନର୍ବାଚନରେ ବିଜେଡିକୁ ୧୩ଟି ଆସନ ମିଳିଛି ।