ଭାରତର ନିର୍ବାଚନ କମିଶନ ବରଗଡ ଜିଲ୍ଲା ପଦ୍ମପୁର
ଉପନିର୍ବାଚନ ପାଇଁ ଭୋଟ୍ଗ୍ରହଣର ତାରିଖ ଘୋଷଣା କରିଛନ୍ତି । ଆସନ୍ତା
ଡିସେମ୍ବର ୫ ତାରିଖରେ ଭୋଟ୍ଗ୍ରହଣ କରାଯିବ ଏବଂ ୮ ତାରିଖରେ
ଭୋଟ୍ଗଣତି ହେବ । ଏଥିପାଇଁ ଚଳିତମାସ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ
ପାଇବ । ଆସନ୍ତା ୧୭ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ, ୧୮
ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୧ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର
ହେବ । ଡିସେମ୍ବେର ୧୦ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ।
ସୂଚନାଯୋଗ୍ୟ, ଗତମାସ ୩ ତାରିଖରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ
ସିଂହ ବରିହାଙ୍କର ପରଲୋକ ହେବା ପରେ ଏହି ବିଧାନସଭା ଆସନ
ଖାଲିପଡିଛି ।
ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ୍ଗଣତି
ଆଜି ହେବ । ଭଦ୍ରକ ସଂସ୍କୃତି ଭବନଠାରେ ସକାଳ ୮ଟାରୁ ଗଣତି
କାର୍ଯ୍ୟ ଆରମ୍ଭ ହେବ । ୨୫୨ଟି ବୁଥ୍ ପାଇଁ ୧୪ଟି ଟେବୁଲ୍ରେ ୧୮
ରାଉଣ୍ଡରେ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍ ଭୋଟ୍ ଗଣତି ପରେ
ଇ.ଭି.ଏମ୍. ଗଣତି ଆରମ୍ଭ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ
ପ୍ରସ୍ତୁତି ଚୂଡାନ୍ତ ହୋଇଛି । କଡା ସୁରକ୍ଷା ମଧ୍ୟରେ ଗଣତି କାର୍ଯ୍ୟ କରାଯିବା
ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ସୁଶିଲ୍ କୁମାର ଲୋହାନି ସୂଚନା ଦେଇଛନ୍ତି । ଧାମନଗର ବ୍ଲକର ଅସୁରାଳି
ଜୋନ୍ରୁ ଗଣତି ଆରମ୍ଭ ହୋଇ ତିହିଡି ବ୍ଳକରେ ଶେଷ ରାଉଣ୍ଡ ଗଣତି
ହେବ । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ମୋଟ୍ ୨ ଲକ୍ଷ
୩୮ ହଜାର ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୪ ହଜାର ୪୬୫ ଭୋଟର
ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଣାଅଶୀ
ହଜାର ୧୧ଜଣ ପୁରୁଷ ଓ ୮୫ହଜାର ୪୫୨ଜଣ ମହିଳା ମତଦାତା
ରହିଛନ୍ତି । ୨ ଜଣ ତୃତୀୟ ଲିଙ୍ଗି ମଧ୍ୟ ମତଦାନରେ ସାମିଲ ହୋଇଛନ୍ତି ।
ଆଜି ହେବାକୁ ଥିବା ଭୋଟ୍ ଗଣତି ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ
ସଦ୍ଭାବନା ଗୃହରେ ଜରୁରୀ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ
ହୋଇଯାଇଛି । ଏଥିରେ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ, ଦୁଇ ଜଣ
ପର୍ଯ୍ୟବେକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ଯୋଗଦେଇ ଶାନ୍ତି
ଶୃଙ୍ଖଳାର ସହ ଭୋଟ୍ ଗଣତି ଶେଷ କରିବାପାଇଁ ନିଯୁକ୍ତ କର୍ମଚାରୀମାନଙ୍କୁ
ପରାମର୍ଶ ଦେଇଥିଲେ ।
Comments are closed, but trackbacks and pingbacks are open.