ଦୀପାବଳୀ ଶ୍ରୀ ମନ୍ଦିର ଆଗରେ ଜଳାଯିବନି କାଉଁରିଆ – ବନ୍ଦ ରହିବ ଦର୍ଶନ ଶ୍ରୀମନ୍ଦିର ୧୪୪ ଧାରା ଜାରୀ
ଗତବର୍ଷ ଭଳି ଚଳିତ ବର୍ଷ ଦୀପାବଳିରେ ପୁରୀ ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟରେ କାଉଁରିଆ ଜଳାଇବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯିବା ସହିତ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରୀ କରାଯାଇଛି । ତେବେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ସାମାଜିକ ଦୂରତା ରକ୍ଷା କରି ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ପୟାଶ୍ରାଦ୍ଧ ଦେଉଛନ୍ତି ।
ପାରମ୍ପରିକ ରୀତିମତେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଶଙ୍ଖ,ଚକ୍ର, ଗଦା, ପଦ୍ମ ଓ ହଳ-ମୂଷଳ ଆଦି ଆୟୂଧ ସବୁକୁ ପୂଜା କରାଯାଉଛି । ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆକର୍ଷଣୀୟ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଛି । ପୁରୀ ସହରରେ ଥିବା ଶ୍ୟାମାକାଳୀ, ଦକ୍ଷିଣକାଳୀ, ବାଟକାଳୀ ଓ ଗଛକାଳୀଙ୍କ ମନ୍ଦିରରେ କାଳିପୂଜା ଧୁମଧାମରେ ଚାଲିଛି ।
ଦୀପାବଳି ଅବସରରେ ସମୁଦ୍ରକୂଳ ଅଞ୍ଚଳଟି ଲୋକାରଣ୍ୟ ହେବା ସହିତ ବିଭିନ୍ନ ହୋଟେଲ ଓ ଲଜିଂ ଗୁଡିକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । କାଳୀପୂଜା ଲାଗି ଆଜି ଓ ଆସନ୍ତାକାଲି ବୀରଗୋବିନ୍ଦପୁର ଦକ୍ଷିଣକାଳୀ ପୀଠରେ ମଧ୍ୟ ୧୪୪ ଧାରା ଜାରୀ କରାଯାଇଛି ।