ଉତ୍ତର-ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ସେହିପରି ସେପ୍ଟେମ୍ବର ୨୦ରୁ ୨୧ ତାରିଖ ମଧ୍ୟରେ କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ନୂଆପଡ଼ା ଓ ବଲାଙ୍ଗିର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉତ୍ତର-ପଶ୍ଚିମ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ
ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର କେତେକ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଅନ୍ୟପକ୍ଷରେ ରାଜ୍ୟରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ବିଭିନ୍ନ ଅଞ୍ଚଳରେ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ତେବେ ତଳିଆ ଅଞ୍ଚଳଗୁଡ଼ିକରେ ଜମି ରହିଥିବା ଜଳକୁ ନିଷ୍କାସନ କରିବା ଲାଗି ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ବିଚ୍ଛିନ୍ନ ହୋଇଥିବା ସଡ଼କ ଯୋଗାଯୋଗ ମଧ୍ୟ କ୍ରମଶଃ ସାମାନ୍ୟ ହେବାରେ ଲାଗିଛି ।
ଜଗତ୍ସିଂହପୁର ଜିଲ୍ଲାରେ ମହାନଦୀର ତଳିଆ ଅଞ୍ଚଳର କେତେକ ସ୍ଥାନରେ ବନ୍ୟାପାଣି ପ୍ରବେଶ କରିଥିବାରୁ ସେଠାକାର ଲୋକମାନେ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟାଜଳ ମହାନଦୀରେ କ୍ରମଶଃ ହ୍ରାସ ପାଉଥିବାରୁ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପନ୍ନ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି ।
ଜିଲ୍ଲାର ପ୍ରାୟ ୯୦ ପ୍ରତିଶତ ଚାଷଜମି ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି । ଏହାର ଆକଳନ ନିମନ୍ତେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ତେବେ ସାମ୍ପ୍ରତିକ ପରିସ୍ଥିତି ଉପରେ ଏବଂ ଆଗାମୀ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପମାନ ଗ୍ରହଣ କରାଯାଉଛି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଗୋଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି ।
ବାଲେଶ୍ୱର ଜିଲ୍ଲାର ପ୍ରମୁଖ ନଦୀ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ତେବେ ନଦୀକୂଳବର୍ତ୍ତୀ ଗ୍ରାମଗୁଡ଼ିକ ଏବେ ମଧ୍ୟ ଜଳବନ୍ଦୀ ହୋଇ ରହିଛି । ବହୁ ଚାଷଜମି ଜଳମଗ୍ନ ହୋଇଛି । ଯୋଗାଯୋଗ ବ୍ୟବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିଲେ ମଧ୍ୟ ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିବାକୁ ଆହୁରି ଏକ ସପ୍ତାହ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।