ନୂଆଦିଲ୍ଲୀ – କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ହିତାଧିକାରୀମାନଙ୍କ ଜମାଖାତାକୁ ୫୦୦ ଟଙ୍କା ଲେଖାଏଁ ପଠାଇବା ଆରମ୍ଭ କରିଛନ୍ତି । ଜୁନ୍ ମାସପାଇଁ ଏହି ଅର୍ଥ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହା ହେଉଛି ତୃତୀୟ କିସ୍ତିର ସହାୟତା । ଆର୍ଥିକ ସେବା ବିଭାଗ କହିଛି, ହିତାଧିକାରୀମାନେ ଆସନ୍ତା ୧୦ ତାରିଖ ପରଠାରୁ ଯେକୌଣସି ସମୟରେ ଟଙ୍କା ଉଠାଇପାରିବେ । ଗତକାଲିଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କ ଜମାଖାତାକୁ ଜୁନ୍ ମାସପାଇଁ ଏହି ସହାୟତା ପଠାଯିବ ।
ଏହି ଅର୍ଥ ସିଧାସଳଖ ସେମାନଙ୍କର ଜମାଖାତାରେ ଯାଇ ପହଞ୍ଚିବ । ଏହି ସହାୟତା ଅଧୀନରେ ୨୦ କୋଟି ଜନଧନ ଜମାଖାତାଧାରୀଙ୍କୁ ପ୍ରଥମ କିସ୍ତିରେ ୧୦ ହଜାର ୨୯ କୋଟି ଟଙ୍କା ଦିଆଯାଇଥିଲା । ଦ୍ୱିତୀୟ କିସ୍ତିରେ ୨୦ କୋଟି ୬୨ ଲକ୍ଷ ଜନଧନ ଜମାଖାତାଧାରୀଙ୍କୁ ୧୦ ହଜାର ୩୧୫ କୋଟି ଟଙ୍କା ଦିଆଯାଇଥିଲା । ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ସମ୍ବଳିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସରକାର ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଓ ନଗଦ ଟଙ୍କା ସହାୟତା ଆକାରରେ ଦେଉଛନ୍ତି ।