ଭିସା ପ୍ରକ୍ରିୟା ସରଳୀକରଣ
ଦେଶର ସୁରକ୍ଷା ସୁନିଶ୍ଚିତ କରିବା ସମୟରେ ଦେଶରେ ବିଦେଶୀମାନଙ୍କ ସହଜ ପ୍ରବେଶ, ପ୍ରସ୍ଥାନ ଏବଂ ଅନ୍ୟ ଗତିବିଧିର ସୁବିଧା ଦେବାକୁ ଭାରତରେ ଏକ ମଜବୁତ ଭିସା ବ୍ୟବସ୍ଥା ପ୍ରସ୍ତୁତ କରିଛି । ବିଗତ ଏକ ବର୍ଷ ହେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭିସା ବ୍ୟବସ୍ଥାକୁ ସରଳ କରିବା ଲାଗି ଅନେକ ଗୁଡ଼ିଏ ପଦକ୍ଷେପ ନେଇଛି ।
ବିଶ୍ୱର ସମସ୍ତ ଦେଶ ପାଇଁ ଏବେ ଇଲେକ୍ଟ୍ରୋନିକ୍ ଭିସା ବ୍ୟବସ୍ଥା ଆରମ୍ଭ କରାଯାଇଛି । ୧୬୬ଟି ଦେଶର ବିଦେଶୀ ନାଗରିକ ଏବେ ୨୬ଟି ବିମାନବନ୍ଦର ଏବଂ ୫ଟି ବନ୍ଦରରେ ଏହି ସୁବିଧା ପାଇପାରୁଛନ୍ତି । ଇମିଗ୍ରେସନ କାଉଣ୍ଟରରେ ପହଞ୍ଚିବା ପର୍ୟ୍ୟନ୍ତ ବିଦେଶୀ ନାଗରିକଙ୍କୁ କୌଣସି ଅଫିସରଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ନାହିଁ । ଜଣେ ବିଦେଶୀଙ୍କୁ ଇ-ଭିସା ଦିଆଯିବ କି ନାହିଁ ତାହା ବ୍ୟୁରୋ ଅଫ୍ ଇମିଗ୍ରେସନ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନେଉଛି । ଇ-ଭିସାର ଲୋକପ୍ରିୟତା ଏବେ ଆକାଶଛୁଆଁ ହୋଇଛି । ୨୦୧୫ ମସିହାରେ ଇ-ଭିସାରେ ଆସିଥିବା ବିଦେଶୀଙ୍କ ସଂଖ୍ୟା ୪.୪୭ ଲକ୍ଷ ଥିବା ବେଳେ ୨୦୧୭ରେ ୧୭.୦୦ ଲକ୍ଷ ହୋଇଛି । ୨୦୧୮ରେ ଅକ୍ଟୋବର ୩୦ ସୁଦ୍ଧା ଏହି ସଂଖ୍ୟା ୧୮.୭୮ ଲକ୍ଷକୁ ଛୁଇଁସାରିଛି ।
ନିକଟରେ ଇ-କନଫରେନ୍ସ ଓ ଇ-ମେଡିକାଲ ଆଟେଣ୍ଡାଣ୍ଟ ନାମରେ ଦୁଇଟି ନୂତନ ଇ-ଭିସା ଆରମ୍ଭ ହୋଇଛି । ଏବେ ଇ-ଭିସା ମୋଟ ପାଞ୍ଚ ଶ୍ରେଣୀ; ଟୁରିଷ୍ଟ, ବିଜିନେସ୍, ମେଡିକାଲ, କନଫରେନ୍ସ ଏବଂ ମେଡିକାଲ ଆଟେଣ୍ଡାଣ୍ଟ ନାମରେ ଉପଲବ୍ଧ ।
ସ୍ଥାନୀୟ ଏଫଆରଆରଓକୁ ଇଲୋକ୍ଟ୍ରୋନିକ୍ ଭିସାର ଅବଧି ୬୦ ଦିନରୁ ୯୦ ଦିନକୁ ବୃଦ୍ଧି କରି ପାରିବାର କ୍ଷମତା ଦିଆଯାଇଛି । ପୂର୍ବରୁ ଏ ପ୍ରକାର ଇ-ଭିସା ବର୍ଷକୁ ଦୁଇ ଥର ମିଳୁଥିବା ବେଳେ ଏବେ ତିନିଥର ଉପଲବ୍ଧ ହେଉଛି ।
ଦେଶ ମଧ୍ୟରେ ଥିବା କୌଣସି ବିଦେଶୀ ନାଗରିକ ଭିସା ସମ୍ପର୍କିତ ୨୭ ପ୍ରକାର ସେବା ପାଇବା ପାଇଁ ଏଫଆରଆରଓ ଦେଶବ୍ୟାପୀ ଅନଳାଇନ ସୁବିଧା ଆରମ୍ଭ କରିଛି । ଏଥିପାଇଁ ବ୍ୟକ୍ତିଗତ ଭାବେ ଏଫଆରଆରଓ/ଏଫଆରଓ କାର୍ୟ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଅନଲାଇନରେ ଦେୟ ପ୍ରଦାନ ପରେ ସେମାନେ ଭିସା ସମ୍ପର୍କିତ ସେବା ପାଇବାକୁ ଆବେଦନ କରିପାରିବେ ।
କ୍ରୁଇଜ ଟୁରିଜମ ଇମିଗ୍ରେସନ ସୁବିଧା ଦେବା ସକାଶେ ୫ଟି ବୃହତ ବନ୍ଦରରେ ବିଦେଶୀ ନାଗରିକ ପହଞ୍ଚିବା ମାତ୍ରେ ଇ-ଲ୍ୟାଣ୍ଡିଙ୍ଗ ପରମିଟ୍ ପ୍ରଦାନ କରାଯାଉଛି । ମୁମ୍ବାଇ, କୋଚିନ୍, ମୋର୍ମୁଗାଓ, ଚେନ୍ନାଇ ଏବଂ ନ୍ୟୁ ମାଙ୍ଗାଲୋର ବନ୍ଦରରେ ପୂର୍ବରୁ ବିଦେଶୀ ନାଗରିକମାନଙ୍କ ପାଇଁ ଥିବା ବାୟୋମାଟ୍ରିକ ଦାଖଲ ବ୍ୟବସ୍ଥାକୁ ୨୦୨୦ ଡିସେମ୍ବର ପର୍ୟ୍ୟନ୍ତ ହଟାଇ ନିଆଯାଇଛି, ଯଦ୍ୱାରାକି ପର୍ୟ୍ୟଟକମାନେ ଦେଶରେ ବୁଲିବା ପାଇଁ ବେଶୀ ସମୟ ପାଇପାରିବେ ।
ଦେଶ ମଧ୍ୟରେ ଥିବା ବିଦେଶୀ ନାଗରିକମାନେ ଅସୁସ୍ଥ ହେଲେ ସେମାନଙ୍କ ଭିସାକୁ ଇ-ମେଡିକାଲ ଭିସାକୁ ରୂପାନ୍ତରିତ ନ କରି ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ । ଜରୁରିକାଳୀନ ସ୍ଥିତିରେ ଏହା ଦରକାର ହେଉଛି ।
କୌଣସି ବିଦେଶୀ ନାଗରିକ କୌଣସି ଭାରତୀୟ ନାଗରିକ/ ଭାରତରେ ରହୁଥିବା ବ୍ୟକ୍ତି/ ଭାରତର ବିଦେଶୀ ନାଗରିକ କାର୍ଡ ଧାରକଙ୍କୁ ବିବାହ କରିଥିବେ, ଏଭଳି ନାଗରିକଙ୍କ ଭିସା କୌଣସି ଅନ୍ୟ ଭିସାକୁ ରୂପାନ୍ତରିତ କରିବାକୁ ଅନୁମତି ଦିଆଯାଉଛି, ତାଙ୍କୁ ଯେକୌଣସି ସମୟରେ ଏଫଆରଆରଓ ଭିସା ପ୍ରଦାନ କରିପାରିବ ।
ଏବେ ଭାରତରେ ପାଞ୍ଚ ବର୍ଷ ବଦଳରେ ରୋଜଗାର ଓ ବ୍ୟବସାୟ ଭିସା ୧୦ ବର୍ଷ ଅବଧିର ଦିଆଯାଉଛି । ଏଥିସହ କର୍ମଶାଳା ଭଳି କୌଣସି କାର୍ୟ୍ୟକ୍ରମରେ ସାମିଲ ହେବାକୁ ଦୀର୍ଘକାଳୀନ ଭିସା ହାସଲ କରିଥିବା ବିଦେଶୀ ନାଗରିକଙ୍କୁ ଏଥିପାଇଁ ଏଫଆରଆରଓର ସ୍ୱତନ୍ତ୍ର ଅନୁମତି ଆବଶ୍ୟକ ନାହିଁ ।
ଭିସା ସମ୍ପର୍କିତ ବିଭିନ୍ନ ସେବା ପାଇଁ ଏଫଆରଆରଓକୁ କ୍ଷମତା ପ୍ରଦାନ କରାଯାଇଛି, ଯଦ୍ୱାରାକି ବିଦେଶୀ ନାଗରିକଙ୍କ ପ୍ରତୀକ୍ଷା ସମୟ ହ୍ରାସ ପାଇପାରିବ ।
ପ୍ରତିବନ୍ଧିତ ଓ ସଂରକ୍ଷିତ ଅଞ୍ଚଳରେ ପ୍ରବେଶ ପାଇଁ ପୂର୍ବରୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ଆବଶ୍ୟକ ହେଉଥିଲା, ଏହା ଥିଲା ସମୟସାପେକ୍ଷ । କିନ୍ତୁ ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ଏଭଳି ଭିସାର ଅନୁମତି ପୂର୍ବରୁ ପ୍ରଦାନ କରୁଛି ।