ହକି ଇଣ୍ଡିଆ ନିର୍ବାଚନକୁ ସୁପ୍ରିମକୋର୍ଟଙ୍କ ଅନୁମତି, ନିର୍ବାଚନ ବନ୍ଦ ଉଦ୍ୟମକୁ ଶକ୍ତ ଧକ୍କା

1

ଭୁବନେଶ୍ୱର: ହକି ଇଣ୍ଡିଆର ନିର୍ବାଚନ ଉପରେ ରୋକ୍ ଲଗାଇଥିବା ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହାଦ୍ୱାରା ଆସନ୍ତା ଡିସେମ୍ବର ୫ ତାରିଖରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହକି ଇଣ୍ଡିଆର ନିର୍ବାଚନ ହେବାର ବାଟ ଫିଟିଛି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ହକି ଓଡ଼ିଶା ସ୍ୱାଗତ କରିବା ସହ ଏହାକୁ ହକି ଖେଳର ସ୍ୱାର୍ଥ, ସତ୍ୟ ଓ ସ୍ୱଚ୍ଛ ପ୍ରଶାସନର ବିଜୟ ବୋଲି କହିଛି ।

ବିଚାରପତି ଜଷ୍ଟିସ୍ କେ.ଭି. ବିଶ୍ୱନାଥନ ଓ ଜଷ୍ଟିସ୍ ଅରୁଣ ପଲ୍ଲୀଙ୍କ ଖଣ୍ଡପୀଠ ଶନିବାର ହକି ଇଣ୍ଡିଆ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ନଭେମ୍ବର ୬ ଓ ୧୮ ତାରିଖର ହାଇକୋର୍ଟ ଆଦେଶକୁ ରଦ୍ଦ କରିଛନ୍ତି । ନିର୍ବାଚନ ବିଳମ୍ବ ହେଲେ ଭାରତୀୟ ହକିର ସ୍ୱାର୍ଥ ପ୍ରଭାବିତ ହେବା ସହ ଅନ୍ତର୍ଜାତୀୟ ହକି ମହାସଂଘରୁ ସଦସ୍ୟତା ହରାଇବାର ଆଶଙ୍କା ରହିଥିବା କୋର୍ଟ ଉଲ୍ଲେଖ କରିଛନ୍ତି ।

ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ କହିଛନ୍ତି, ଏହି ରାୟ ଭାରତୀୟ ହକି ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ । ଖେଳର ସ୍ୱାର୍ଥକୁ କୌଣସି ବ୍ୟକ୍ତି ବା ସଂସ୍ଥାର ସ୍ୱାର୍ଥ ପାଇଁ ବଳି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ହକି ପ୍ରଶାସନରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ରହିବା ଜରୁରୀ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ, ହକି ଓଡ଼ିଶା ରାଜ୍ୟରେ ହକି ପ୍ରଶାସନର କାର୍ଯ୍ୟପ୍ରଣାଳୀ ଓ ନିର୍ବାଚନ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି । ଗତ ଅକ୍ଟୋବର ୭ ତାରିଖରେ ହକି ଇଣ୍ଡିଆ, ଜିଲ୍ଲା ସଂଘଗୁଡ଼ିକର ନିର୍ବାଚନ ଓ ପ୍ରତିନିଧିତ୍ୱ ସମ୍ପର୍କିତ ଅନିୟମିତତା ନେଇ ହକି ଆସୋସିଏସନ ଅଫ୍ ଓଡ଼ିଶାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ଏଥିରେ ସଂଘର ସ୍ଥାୟୀ ସଦସ୍ୟତାକୁ ସହଯୋଗୀ ସଦସ୍ୟତାକୁ ପରିବର୍ତ୍ତନ କରିବାର ପ୍ରସ୍ତାବ ମଧ୍ୟ ରହିଥିଲା । ତେବେ ଏହି ପ୍ରକ୍ରିୟା ଏବେ ବିଚାରାଧୀନ ରହିଛି। ଖେଳାଳି, ପ୍ରଶିକ୍ଷକ ଓ ହକିପ୍ରେମୀଙ୍କ ସ୍ୱାର୍ଥକୁ ଆଗରେ ରଖି ହକି ପ୍ରଶାସନକୁ ଆଗେଇ ନେବାକୁ ଶ୍ରୀ ଶତପଥୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

Comments are closed, but trackbacks and pingbacks are open.