ଗାଡି କାଗପତ୍ର ପ୍ରସ୍ତୁତ ପାଇଁ ଭୁବନେଶ୍ୱରରେ ଖୋଲିବ ଅତିରିକ୍ତ ୫ କେନ୍ଦ୍ର
ଭୁବନେଶ୍ୱର – ଗାଡି ଚାଳକମାନେ ସୁବିଧାରେ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଏଣିକି ଅତିରିକ୍ତ କେନ୍ଦ୍ର ଖୋଲାଯିବ ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୫ଟି ଅତିରିକ୍ତ କେନ୍ଦ୍ର ଖୋଲାଯିବ ବୋଲି ରାଜ୍ୟ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭିଡକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଏହି
ଦୁଇଟି ସହରରେ ଅତିରିକ୍ତ କେନ୍ଦ୍ର ଖୋଲାଯିବ । ପରେ ଅନ୍ୟ ସହର ଗୁଡିକରେ ମଧ୍ୟ ଏହି ବ୍ୟବସ୍ଥା ହେବ । ଏହି କେନ୍ଦ୍ରଗୁଡିକରେ ଗାଡି ଚାଳକଙ୍କୁ କେବଳ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବ ।
ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ପରିବହନ କାର୍ଯ୍ୟାଳୟ ଗୁଡିକରେ ସାଧାରଣ ଲୋକଙ୍କୁ ସମସ୍ତ ସୁବିଧା ଓ ସେବା ଯୋଗାଇ ଦେବା କଥା ସେ କହିଛନ୍ତି। ଏହା ସହ ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ ସ୍ଲଟ୍ କରିବା ସହ ଅଧିକ କମ୍ପ୍ୟୁଟରର ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ନୂଆ ମୋଟରଯାନ ଆଇନକୁ ଦେଶବ୍ୟାପୀ କଡାକଡି ଭାବେ ପାଳନ କରାଯାଉଥିବାବେଳେ ଜନସାଧାରଣଙ୍କୁ ପ୍ରସ୍ତୁତ ହେବାକୁ ରାଜ୍ୟ ସରକାର ୩ମାସ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ଗାଡିମାଲିକ ଓ ଚାଳକମାନେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରଖିବାକୁ କୁହାଯାଇଥିଲା। ଏଥିପାଇଁ ଛୁଟି ଦିନରେ ମଧ୍ୟ ପରିବହନ ଏବଂ ପ୍ରଦୂଷଣ ଯାଞ୍ଚ କାର୍ଯ୍ୟାଳୟ ଖୋଲା ରହିବା ଲାଗି ନିଷ୍ପତ୍ତି ନିଆଯାଇଥିଲା