ଅଗାମୀ ସରକାର ପାଇଁ ୧୦୦ ଦିନିଆ ଏଜେଣ୍ଡା ପ୍ରସ୍ତୁତିରେ ବ୍ୟସ୍ତ ଅମଳା କର୍ମଚାରୀ
ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ମେ’ ମାସ ୧୯ ତାରିଖ ପୂର୍ବରୁ ବାକି ୩ଟି ପର୍ଯ୍ୟାୟର ମତଦାନ ଶେଷ ହେବ । ଏହା ପରେ ମେ’ ମାସ ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଭାରତୀୟ ଜନତା ପାର୍ଟି ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ଓ ବହୁଜନ ସମାଜ ପାର୍ଟି-ସମାଜବାଦୀ ପାର୍ଟି ଦ୍ୱାରା ଗଠିତ ମେଣ୍ଟ ଦିଲ୍ଲୀ ସିଂହାସନ ହାତେଇବା ପାଇଁ ବ୍ୟସ୍ତ ହୋଇପଡିଛନ୍ତି । ଅନ୍ୟ ପକ୍ଷରେ ଅମଳାତନ୍ତ୍ରର କର୍ମଚାରୀ ମାନେ ଆଗାମୀ ସରକାରର ୧୦୦ ଦିନ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିବା ବ୍ୟସ୍ତ ଅଛନ୍ତି ।
ସମସ୍ତ ମନ୍ତ୍ରାଳୟ ଏହି କାର୍ଯ୍ୟ ଯୋଜନାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଦେଖାଇବା ଆରମ୍ଭ କରିଦେଇଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏହି ମାମଲାରେ ଅନ୍ୟ ବିଭାଗ ତୁଳନାରେ ଟିକିଏ ଆଗୁଆ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଏଚଆରଡି ମନ୍ତ୍ରାଳୟ ଆଗାମୀ ୫ ବର୍ଷ ପାଇଁ କାର୍ଯ୍ୟ ଯୋଜନା ଆରମ୍ଭ କରିବାକୁ ଯାଉଛି । ମନ୍ତ୍ରାଳୟ ଏହାକୁ ଗତିଶୀଳ କରିବା ପାଇଁ ରାଜସ୍ୱ ସଚିବ ହସମୁଖ ଅଢିଆ, ନୀତି ଆୟୋଗର ନିର୍ବାହୀ ଅଧିକାରୀ ଅମିତାଭ କାନ୍ତ, ପ୍ରଧାନମନ୍ତ୍ରୀଙ୍କ ମୂଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଡାକ୍ତର ବିଜୟାରାଘବନ, ରେଡିଫର ପ୍ରତିଷ୍ଠାତା ଅଜିତ ବାଳକୃଷ୍ଣ ଓ ଏଫୋସିସର ପୂର୍ବତନ ମୂଖ୍ୟ ନିର୍ବାହୀ ଅଧିକାରୀ ଗୋପାଳକୃଷ୍ଣ ସମେତ ଅନେକ ଜଣାଶୁଣା ବ୍ୟକ୍ତି ଏହି କାମରେ ସାମିଲ ଅଛନ୍ତି ।