ଟାଟା ଷ୍ଟିଲ୍ ଏଫ୍‌ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ ଭୁବନେଶ୍ୱର-ରାଉରକେଲାର ଅଫିସିଆଲ୍ ପାର୍ଟନର

129

ଭୁବନେଶ୍ୱର: ଏଫ୍‌ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ର ୨୦୨୩ ଭୁବନେଶ୍ୱର-ରାଉରକେଲାର ଅଫିସିଆଲ୍ ପାର୍ଟନର୍ ହେବା ପାଇଁ ଟାଟା ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ହକି ଇଣ୍ଡିଆ ସହିତ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି ।
ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ହେଉଛି ହକିର ସର୍ବୋଚ୍ଚ ଟୁର୍ଣ୍ଣାମେଂଟ୍ । ଏହି ସମ୍ମାନଜନକ କାର୍ଯ୍ୟକ୍ରମର ୧୫ତମ ସଂସ୍କରଣ ୨୦୨୩ ଜାନୁଆରି ୧୩ରୁ ଜାନୁଆରି ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ରାଉରକେଲା ରେ ଅନୁଷ୍ଠିତ ହେବ ।
ଏହି ଅବସରରେ ଟାଟା ଷ୍ଟିଲ୍‌ର ଉପସଭାପତି (କର୍ପୋରେଟ୍ ସେବା) ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ଭାରତରେ କ୍ରୀଡ଼ା ପ୍ରତି ପ୍ରତିବଦ୍ଧ ଏବଂ ଦୀର୍ଘମିଆଦୀ ପୃଷ୍ଠପୋଷାକ ଭାବେ ହକି ପୁରୁଷ ବିଶ୍ୱକପ୍ ସହିତ ପୁଣି ଥରେ ଯୋଡ଼ି ହୋଇଥିବାରୁ ଟାଟା ଷ୍ଟିଲ୍ ଗର୍ବିତ ମନେ କରୁଛି । ଓଡ଼ିଶା ଜାତୀୟ କ୍ରୀଡ଼ାର ଏକ ପେଣ୍ଠସ୍ଥଳରେ ପରିଣତ ହୋଇଛି ଏବଂ ଏହି ଯାତ୍ରାର ଅଂଶ ହେବା ଲାଗି ଟାଟା ଷ୍ଟିଲ୍ ଗର୍ବିତ । ଏହି ଟୁର୍ଣ୍ଣାମେଂଟ୍ ପାଇଁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ଆଶା କରୁଛି ଯେ ଭବିଷ୍ୟତରେ ଏହି କ୍ରୀଡ଼ାରେ ଭାଗ ନେବା ଲାଗି ଅଧିକ ଯୁବବର୍ଗ ଉତ୍ସାହିତ ହେବେ ।’’
ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି ଯେ, “ଏଫ୍‌ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ ଭୁବନେଶ୍ୱର-ରାଉରକେଲାର ଅଫିସିଆଲ୍ ପାର୍ଟନର୍ ଭାବେ ଟାଟା ଷ୍ଟିଲ୍‌କୁ ଆମ ପରିବାରକୁ ସ୍ୱାଗତ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଭାରତୀୟ ହକିର ପ୍ରସାର, ତାହାକୁ ନୂତନ ଶିଖରରେ ପହଂଚାଇବା ଏବଂ ଏହି ବିଶ୍ୱକପ୍‌କୁ ଅନ୍ୟତମ ଶ୍ରେଷ୍ଠ ବିଶ୍ୱକପ୍ କରିବା ଲାଗି ଟାଟା ଷ୍ଟିଲର ଉଲ୍ଲେଖନୀୟ ଯୋଗଦାନ ରହିଛି । ଆମେ ଏକ ସଫଳ ସହଯୋଗିତାକୁ ଚାହିଁରହିଛୁ ।’’
ଚତୁର୍ଥ ଥର ପାଇଁ ଭାରତ ପକ୍ଷରୁ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରାଯାଉଛି । ୧୯୮୨ରେ ବମ୍ବେ, ୨୦୧୦ରେ ନୂଆଦିଲ୍ଲୀ ଏବଂ ୨୦୧୮ରେ ଓଡ଼ିଶାରେ ଏହି ସମ୍ମାନଜନକ ବିଶ୍ୱକପ୍‌କୁ ଆୟୋଜନ କରିବା ପରେ ଓଡ଼ିଶାରେ ଏଫ୍‌ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ ଭୁବନେଶ୍ୱର-ରାଉରକେଲାକୁ ଆୟୋଜନ କରାଯାଉଛି । ଏହି ଟୁର୍ଣ୍ଣାମେଂଟ୍‌ରେ ମୋଟ ୧୬ଟି ଦେଶ ଅଂଶଗ୍ରହଣ କରିବେ ।
ଶ୍ରେଷ୍ଠ ସ୍ତରର ଉଚ୍ଚ-ପ୍ରଦର୍ଶନ ଆବାସିକ ହକି ପ୍ରଶିକ୍ଷଣ ବ୍ୟବସ୍ଥା, ଆନ୍ତର୍ଜାତିକ କୋଚ୍‌, ନ୍ୟୁଟ୍ରିସ୍‌ନିଷ୍ଟ, ମାନସିକ ଏବଂ ଶାରିରୀକ ପ୍ରଶିକ୍ଷକ ଆଦିଙ୍କ ଜରିଆରେ ଭାରତର ଜାତୀୟ କ୍ରୀଡ଼ାକୁ ସୁଦୃଢ଼ କରୁଛି ଟାଟା ଷ୍ଟିଲ୍ ।
ଏହି ଯାତ୍ରା ୨୦୧୭ରେ ଟାଟା ହକି ଏକାଡେମିକୁ ସ୍ଥାପନ କରିବା ପରଠାରୁ ଆରମ୍ଭ ହୋଇଥିଲା ଯାହାକୁ ଝାଡ଼ଖଣ୍ଡର ଜାମସେଦ୍‌ପୁରରେ ତୃଣମୂଳ ସ୍ତରର ଉଦୀୟମାନ ହକି ପ୍ରତିଭାଙ୍କୁ ସକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଥିଲା । ଝାଡ଼ଖଣ୍ଡର ୩ ଆଭ୍ୟନ୍ତରୀଣ ଜିଲ୍ଲାରେ ସମନ୍ୱିତ ଜୀବନଜୀବିକା ଅଭିଯାନ ପାଇଁ ବର୍ତମାନ ସେଠାରେ ୩୦୦୦ରୁ ଅଧିକ କ୍ୟାଡେଟ୍‌ଙ୍କ ଦ୍ୱାରା ୬୫ରୁ ଅଧିକ କେନ୍ଦ୍ରରେ ତୃଣମୂଳ ସ୍ତରର କାର୍ଯ୍ୟକ୍ରମ ମିଳିତ ଭାବେ ଆୟୋଜନ କରାଯାଉଛି । ଏହା ବ୍ୟତୀତ ଅନ୍ୟ ୩୦୦ରୁ ଅଧିକ କ୍ୟାଡେଟ୍‌ଙ୍କୁ ନେଇ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ୯ଟି କେନ୍ଦ୍ରର ପରିଚାଳନା କରାଯାଉଛି । ତୃଣମୂଳ କେନ୍ଦ୍ରର ପ୍ରତିଭାମାନଙ୍କୁ ଆଂଚଳିକ ବିକାଶ କେନ୍ଦ୍ରକୁ ପଠାଯାଉଛି ଯେଉଁଠାରେ ସେମାନଙ୍କୁ ଉତମ ପିଚ୍ ଏବଂ ରାଜ୍ୟ ସ୍ତରୀୟ ମ୍ୟାଚ୍‌ରେ ସୁଯୋଗ ପ୍ରଦାନ କରି ଉନ୍ନତ ପ୍ରଶିକ୍ଷଣ ଦିଆଯାଉଛି । ଏକ ନିର୍ଦିଷ୍ଟ ବୟସରେ କ୍ୟାଡେଟ୍‌ମାନେ ନାଭାଲ ଟାଟା ହକି ଏକାଡେମି-ଜାମସେଦ୍‌ପୁର ଏବଂ ଓଡ଼ିଶା ନାଭାଲ୍ ଟାଟା ହକି ହାଇ-ପରଫରମାନ୍ସ ସେଂଟରରେ ଯୋଗ ଦେଉଛନ୍ତି ଯେଉଁଠାରେ ସେମାନଙ୍କୁ ଭାରତର ପ୍ରତିଷ୍ଠିତ ହକି ଏକାଡେମି ଏବଂ ଭାରତୀୟ କ୍ରୀଡ଼ା କର୍ତୃପକ୍ଷଙ୍କ କେନ୍ଦ୍ର ପାଇଁ ଚୟନ କରିବା ଲାଗି ପ୍ରଶିକ୍ଷଣ ଦିଆଯାଉଛି ।
ଟାଟା ଷ୍ଟିଲ୍ ଓ ଟାଟା ଟ୍ରଷ୍ଟ୍‌ସର ସହଯୋଗିତାରେ ଓଡ଼ିଶା ସରକାରଙ୍କୁ କ୍ରୀଡ଼ା ବିଭାଗର ଏକ ଅଭିଯାନ ଓଡ଼ିଶା ନାଭାଲ ଟାଟା ହକି ହାଇପରଫରମାନ୍ସ ସେଂଟର୍ (ଏଚ୍‌ପିସି)କୁ ୨୦୧୯ରେ ଉଦ୍‌ଘାଟନ କରାଯାଇଥିଲା । କିଛି ବର୍ଷ ଭିତରେ ଏହି ଏଚ୍‌ପିସି ପ୍ରତିଷ୍ଠିତ ହୋଇପାରିଛି ଏବଂ ଏହା ମୂଳ ରାଜ୍ୟର ୬ଟି ଜିଲ୍ଲାର ୧୪ଟି କେନ୍ଦ୍ରକୁ ପ୍ରସାରିତ ହୋଇଛି । ୩୦ ଅଭିଜ୍ଞ ପ୍ରଶିକ୍ଷକମାନଙ୍କ ଦ୍ୱାରା ଏହି କେନ୍ଦ୍ରଗୁଡ଼ିକରେ ପ୍ରାୟ ୨୨୦୦ ଯୁବ ପ୍ରଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରାଯାଉଛି । ଗତ ୧୨ ମାସ ଭିତରେ ଏହି କେନ୍ଦ୍ରଗୁଡ଼ିକରୁ ଭାରତୀୟ ଜାତୀୟ ଜୁନିୟର ମହିଳା ଶିବିର ପାଇଁ ୬ ଜଣ କ୍ୟାଡେଟ୍‌ଙ୍କୁ ଚୟନ କରାଯିବା ହେଉଛି ହକି ଏଚ୍‌ପିସି ଏବଂ ଏହାର ଓଡ଼ିଶାରେ ଚାଲିଥିବା ତୃଣମୂଳ କାର୍ଯ୍ୟକ୍ରମର ବଡ଼ ସ୍ୱୀକୃତି । ସେହିପରି, କନିଷ୍ଠ ମହିଳା ବର୍ଗରେ ଚାରି ଜଣ ବାଳିକା ସେମାନଙ୍କ ଆନ୍ତର୍ଜାତିକ ପଦାର୍ପଣ ଆରମ୍ଭ କରସାରିଛନ୍ତି ।
ଟାଟା ଷ୍ଟିଲ୍‌ରେ “କ୍ରୀଡ଼ା ହେଉଛି ଜୀବନ ବଂଚିବାର ଏକ ମାଧ୍ୟମ ଏବଂ କଂପାନି ଭାରତରେ ସବୁଠୁ ପ୍ରଥମେ କ୍ରୀଡ଼ାର କର୍ପୋରେଟ ପ୍ରସାରକ ଏବଂ ଫୁଟବଲ, ତୀରନ୍ଦାଜୀ, ଦୌଡ଼କୁଦ, ହକି ଏବଂ ସ୍ପୋର୍ଟସ୍ କ୍ଲାଇମ୍ବିଂ ପାଇଁ ବିଭିନ୍ନ ଏକାଡେମି ଗଠନ କରିଛି । ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ସଂସ୍କୃତିକୁ ସମୃଦ୍ଧ କରିବା ଏବଂ ଆନ୍ତର୍ଜାତିକ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଦେଶକୁ ସକ୍ଷମ କରିବା ପାଇଁ କଂପାନି ପ୍ରତିବଦ୍ଧ ରହିଛି ।

Comments are closed, but trackbacks and pingbacks are open.