ଖୋଲିବ ସ୍କୁଲ ଯିବେ ଏହି ଶ୍ରେଣୀର ପିଲା

0 123

ଚଳିତମାସରୁ ଏକାଦଶ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ୍‍ରେ ପଢ଼ିବାପାଇଁ ଆସିବେ । ଆସନ୍ତା ୨୧ ତାରିଖରୁ ଏକାଦଶ ଏବଂ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ତେବେ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ପିଲାଙ୍କ ସ୍ୱାସ୍ଥ୍ୟ ଏବଂ ପରିସ୍ଥିତି ଉପରେ ଦୃଷ୍ଟି ରଖିବେ । ଏଥିପାଇଁ ଏକ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ ଗଠନ କରାଯାଇଛି । ଲକ୍ଷଣ ଥିବା ପିଲାଙ୍କର ଟେଷ୍ଟିଂ କରାଯିବ । ଶିକ୍ଷକ ଓ କର୍ମଚାରୀମାନେ ଦୁଇଟି ଡୋଜ୍‍ ଟିକା ନେଇଥିବା ଉପରେ ଗୁରୁତ୍ୱ ଦିଆଯାଇଛି । ଗତକାଲି ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ବୈଠକରେ କରୋନା ମାର୍ଗଦର୍ଶିକା କଡ଼ାକଡ଼ି ଭାବରେ ପାଳନ ଉପରେ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ୍‍ରେ ଭିଡ଼ କମାଇବା ଲାଗି ଦୁଇଟି ପର୍ଯ୍ୟୟରେ ପାଠପଢ଼ା ପାଇଁ ଜିଲ୍ଲାପାଳମାନେ ଆବଶ୍ୟକସ୍ଥଳେ ନିଷ୍ପତ୍ତି ନେଇପାରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ରାଜ୍ୟରେ ପୂଜାଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ ବୋଲି ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଅଷ୍ଟମ ଶ୍ରେଣୀର ଶ୍ରେଣୀଗୃହ ପାଠପଢ଼ା ସକାଳ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ
ଏବଂ ଏକାଦଶ ଶ୍ରେଣୀର ପାଠପଢ଼ା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପୂର୍ବଭଳି ମଧ୍ୟାହ୍ଣ ଭୋଜନରେ ଦିଆଯାଉଥିବା ରନ୍ଧାଖାଦ୍ୟ ଦିଆଯିବ ନାହିଁ । ଉଭୟ ଅନ୍‍ଲାଇନ୍‍ ଏବଂ ଅଫ୍‍ଲାଇନ୍‍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରିପାରିବେ । କଣ୍ଟେନମେଣ୍ଟ ଜୋନ୍‍ରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଇଛି ।


ଅଭିଭାବକଙ୍କର ସହମତି ନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଖସଡ଼ା ପ୍ରସ୍ତୁତ କରାଯାଉଛି । ଆସନ୍ତାକାଲି ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ଆଲୋଚନା ହେବ । ଅନ୍ୟପକ୍ଷରେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀଗୃହ ପାଠପଢ଼ା ନିମନ୍ତେ ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ପାଠପଢ଼ା ଚାଲିଥିବାବେଳେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାଛାତ୍ରୀମାନଙ୍କ ପାଇଁ
ଶ୍ରେଣୀଗୃହରେ ପାଠପଢ଼ା ହେଉଛି ।

Leave A Reply