ସାଧାରଣତନ୍ତ୍ର ଦିବସ-୨୦୨୨ ଅବସରରେ ଦେଶର ୯୩୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକରେ ସମ୍ମାନିତ କରାଯିବ । ୧୮୯ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସାହସିକତା ପାଇଁ ପୁଲିସ ପଦକରେ ସମ୍ମାନିତ ହେବେ । ଅନ୍ୟପକ୍ଷରେ ୮୮ ଜଣ ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକରେ ସମ୍ମାନିତ କରାଯିବ । ସେହିପରି ୬୬୨ ଜଣ ପୁଲିସ କର୍ମୀ ପ୍ରଶଂସନୀୟ ସେବା ପଦକରେ ସମ୍ମାନିତ ହେବେ ।
ସାହସିକତା ପୁରସ୍କାର ପାଇବାକୁ ଥିବା ୧୮୯ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୩୪ ଜଣ ଜମ୍ମୁ ଓ କଶ୍ମୀର କ୍ଷେତ୍ରରେ ସାହସିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ । ସେହିପରି ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଞ୍ଚଚଳରେ ସାହସିକ କାର୍ଯ୍ୟ ପାଇଁ ୪୭ ଜଣ ଏବଂ ଉତର ପୂର୍ବାଞ୍ଚଚଳ କ୍ଷେତ୍ରରେ କାର୍ଯ୍ୟରତ ଜଣେ ପୁଲିସ କର୍ମୀଙ୍କୁ ସମ୍ମାନିତ କରାଯିବ । ସାହସିକତା ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ପୁଲିସ କର୍ମୀଙ୍କ ମଧ୍ୟରୁ ୧୧୫ ଜଣ ଜମ୍ମୁ ଓ କଶ୍ମୀର ପୁଲିସର କର୍ମଚାରୀ ହୋଇଥିବା ବେଳେ ୩୦ ଜଣ ସିଆରପିଏଫ, ୩ଜଣ ଆଇଟିବିପି, ୨ ଜଣ ବିଏସଏଫ, ୩ ଜଣ ଏସଏସବି, ୧୦ ଜଣ ଛତିଶଗଡ଼ ପୁଲିସ, ୯ ଜଣ ଓଡ଼ିଶା ପୁଲିସ ଏବଂ ୭ ଜଣ ମହାରାଷ୍ଟ୍ର ପୁଲିସର କର୍ମଚାରୀ ରହିଛନ୍ତି ।
ଓଡ଼ିଶାରୁ ୯ଜଣଙ୍କୁ ସାହସିକତା ପୁଲିସ ପଦକ, ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ ।