ପୁରୀ ପୌରାଞ୍ଚଳବାସୀ ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ପୂର୍ବରୁ ପୁରୀବାସୀଙ୍କ ସମେତ ଅନ୍ୟ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । କୋଭିଡ୍ କଟକଣା ମଧ୍ୟରେ ଦୁଇ ଡୋଜ୍ ଟିକାର ପ୍ରମାଣପତ୍ର କିମ୍ବା ଆର୍.ଟି.ପି.ସି.ଆର୍. ନେଗେଟିଭ୍ ରିପୋର୍ଟ ସହିତ ଆଧାରକାର୍ଡ଼ ଦେଖାଇ ସେମାନେ ଯାଇପାରିବେ ।
ନଭେମ୍ବର ୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ୍ ବୈଠକରେ ନିଷ୍ପତ୍ତି ହୋଇଛି । ପୁରୀ ପୌରାଞ୍ଚଳବାସୀ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବା ସହ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ । ଏଥିପାଇଁ କିଓସ୍କୋ ବ୍ୟବସ୍ଥା ମଧ୍ୟ କରାଯିବ । ତେବେ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁରୀବାସୀଙ୍କ ପାଇଁ ଚାରିଦ୍ୱାର ଦେଇ ପ୍ରବେଶ ପାଇଁ ଦାବି ହୋଇଥିଲା ।