ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ୨ ଦିନିଆ ପୁରୀ ଗସ୍ତରେ ଆସିବେ

0 85

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ୨ ଦିନିଆ ପୁରୀ ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ନରସିଂହ ଭୋଳ ଆଜି ପୁରୀ ଗସ୍ତରେ ଯାଇ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ୧୯ ତାରିଖ ମଧ୍ୟାହ୍ନ ପ୍ରାୟ ୨ଟା ୪୫ ମିନିଟ୍‍ରେ ବିମାନ ଯୋଗେ ଭୁବନେଶ୍ୱରରେ ଆସି ପହଞ୍ଚିବେ । ସେଠାରୁ ସେ ହେଲିକେପ୍ଟର ଯୋଗେ ପୁରୀ ଯାଇ ଅପରାହ୍ନ ୩ଟା ୨୫ ମିନିଟ୍‍ରେ ପହଞ୍ଚିବେ । ସେଠାରୁ ସେ ମେ’ ଫେୟାର ହୋଟେଲକୁ ଯିବେ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଅପରାହ୍ନ ପ୍ରାୟ ୫ଟାରୁ ୫ଟା ୪୫ ମିନିଟ୍‍ ପର୍ଯ୍ୟନ୍ତ ରହି ଶ୍ରୀମନ୍ଦିରରୁ ବାହାରିବେ । ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ରାତ୍ରୀଯାପନ କରିବେ । ପରଦିନ ଅର୍ଥାତ୍‍ ୨୦ ତାରିଖ ପୂର୍ବାହ୍ନ ୧୦ଟା ୩୫ ମିନିଟ୍‍ରେ ରାଷ୍ଟ୍ରପତି ପୁରୀର ଶ୍ରୀଚୈତନ୍ୟ ଗୌଡିୟ ମଠକୁ ଯାଇ ସେଠାରେ ଶ୍ରୀମଦ୍‍ ଭକ୍ତି ସିଦ୍ଧାନ୍ତ ଗୌଡିୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରିବେ । ଗୌଡିୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍‍ ଦ୍ଭକ୍ତି ସିଦ୍ଧାନ୍ତ ଗୌଡିୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ ତମ ଜନ୍ମ ଶତବାର୍ଷିକୀ ଅବସରରେ ପୁରୀର ଶରଧାବାଲି ଠାରେ ଆୟୋଜିତ ତୃତୀୟ ବାର୍ଷିକ ଅଧିବେଶନରେ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୨୦ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ରାଷ୍ଟ୍ରପତି ପୁରୀରୁ ଫେରିଯିବାର କାର୍ଯ୍ୟକ୍ରମର ରହିଛି ।

Leave A Reply