ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ୍ କନ୍ଧମାଳ ଜିଲ୍ଲା ଗସ୍ତ କରି ମାଓବାଦୀଙ୍କ ଗତିବିଧି ଓ ପୁଲିସ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଗତ ଦୁଇତିନିଦିନ ହେଲା ମାଓବାଦୀଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର-ବ୍ୟାନର ଲଗାଯିବା, ଠିକା ସଂସ୍ଥାର ଗାଡ଼ି ପୋଡ଼ିବା ଏବଂ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ନିରୀହ ଯୁବକଙ୍କ ପ୍ରାଣହାନୀ ଘଟିବା ଘଟଣାର ତଥ୍ୟ ସଂଗ୍ରହ କରିଥିଲେ । ଏଥିସହିତ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ
କିପରି ଶାନ୍ତିଶୃଙ୍ଖଳାର ସହିତ ଶେଷ ହେବ ସେ ନେଇ ଯୋଜନା ପ୍ରସ୍ତୁତ କରିଥିଲେ ।
ଅନ୍ୟପକ୍ଷରେ ସେ ସ୍ୱାଭିମାନ ଅଂଚଳର ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପରେ ପହଂଚି ଶାନ୍ତିଶୃଙ୍ଖଳାର ସହିତ କିପରି ଭୋଟଗ୍ରହଣ କରାଯିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ସେ ମାଓବାଦୀଙ୍କୁ ହିଂସାର ପଥ ପରିହାର କରି ସମାଜର ମୁଖ୍ୟସ୍ରୋତକୁ ଫେରିଆସିବାକୁ ଆହ୍ୱାନ କରିଛନ୍ତି ।
ଏଥିସହିତ ସ୍ୱାଭିମାନ ଅଂଚଳରେ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବା ପାଇଁ ଆବଶ୍ୟକ ହେଲେ ହେଲିକପ୍ଟର ଓ ଡ୍ରୋନ୍ର ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପୋଲିସ ଡ଼ିଜିଙ୍କ ଏହି ଗସ୍ତ କାଳରେ ତାଙ୍କ ସହିତ ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।