ଭୁବନେଶ୍ୱର – ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନର ଗୁରୁବାରରେ ସପ୍ତମ ଦିବସ ରେ ପ୍ରବଳ ହଟ୍ଟଗୋଳ । ଗୃହର ଶୂନ୍ୟକାଳରେ ପରୀ ହତ୍ୟା ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କର ପରୋକ୍ଷ ସଂପୃକ୍ତି ରହିଥିବା ନେଇ ତାଙ୍କର ଇସ୍ତଫା ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ ।
ଫଳରେ ଗୃହ କାର୍ଯ୍ୟ ତୁଲାଇବା ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କୁ କଷ୍ଟକର ହୋଇ ପଡିବାରୁ ସେ ଗୃହକୁ ୧୦ଟା ୩୫ମିନିଟରୁ ୧୦ଟା ୫୫ ମିନିଟ୍ ପର୍ଯ୍ୟନ୍ତ ଅର୍ଥାତ ୨୦ ମିନିଟ ପାଇଁ ମୁଲତବୀ ରଖିଥିଲେ । ଏହା ପରେ ଗୃହର ବୈଠକ ଆରମ୍ଭ ହୋଇଥିଲେ ହେଁ ପରିସ୍ଥିତିରେ କୌଣସି ଉନ୍ନତି ହୋଇ ନ ଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳର ସଦସ୍ୟ ମାନେ ହଟ୍ଟଗୋଳକୁ ପୁଣି ଦୋହରାଇଥିଲେ ।
ବାଚସ୍ପତି ଏଥିରୁ ସେମାନଙ୍କୁ କ୍ଷାନ୍ତ ରହିବା ପାଇଁ ବାରମ୍ବାର ନିବେଦନ କରି ଥିଲେ ହେଁ ବିରୋଧୀ ଦଳର ବିଧାୟକ ମାନେ ଏଥିପ୍ରତି କୌଣସି ଗୁରୁତ୍ୱ ଦେଇ ନ ଥିଲେ । ସେମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ଗୃହରେ ଦେଖା ଯାଇଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଗୃହକୁ ୧୦ଟା ୫୭ମିନିଟରୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଥିଲେ ।
ଦ୍ୱିତୀୟାର୍ଦ୍ଧ ବୈଠକ ଅପରାହ୍ନ ୩ଟାରେ ଆରମ୍ଭ ହୋଇଥିଲା । ବାଚସ୍ପତି ଗୃହ କାର୍ଯ୍ୟକୁ ଚାଲୁ ରଖିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ ଦଳର ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ପରୀ ଘଟଣାକୁ ନେଇ ନାରାବାଜୀ କରିବା ସହ ସରକାର ବିରୋଧୀ ସ୍ଲୋଗାନ, ମନ୍ତ୍ରୀଙ୍କର ଇସ୍ତଫା ଦାବି ଦୋହରାଇଥିଲେ । ଗୃହରେ ସ୍ୱାଭବିକ ଅବସ୍ଥା ନ ରହିବା କାରଣରୁ ବାଚସ୍ପତି ଗୃହକୁ ୩ଟା ୦୧ରୁ ୧୫ ମିନିଟ ପାଇଁ ୩ଟା ୧୬ମିନିଟ ଯାଏ ମୁଲତବୀ ରଖିଥିଲେ ।
ପରେ ଉପ ବାଚସ୍ପତି ଗୃହକୁ ଆସି ୩ଟା.୧୬ମିନିଟ୍ରୁ ୩ଟା ୩୧ମିନିଟ୍ ଯାଏ ପୁଣି ଥରେ ୧୫ ମିନିଟ ପାଇଁ ଗୃହକୁ ମୁଲତବୀ ରଖିଥିଲେ । ଏହା ପରେ ବାଚସ୍ପତି ଗୃହକୁ ଆସିବା ବେଳେ ବିରୋଧୀ ଦଳର ସଦସ୍ୟ ମାନେ ହୋ ହାଲ୍ଲା ଆରମ୍ଭ କଲା ବେଳେ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେବେ, ଆପଣ ମାନେ ହଟ୍ଟଗୋଳରୁ ନିବୃତ ରୁହନ୍ତୁ ବୋଲି କହିଥିଲେ । ହଟ୍ଟଗୋଳକାରୀ ସଦସ୍ୟ ମାନେ କିଛି ସମୟ ପାଇଁ ଚୁପ ହୋଇ ଗୃହର ମଧ୍ୟ ଭାଗରେ ରହିଥିଲେ । ବାଚସ୍ପତି କୃଷି ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସ୍ପଷ୍ଟିକରଣ ଦେବାକୁ ଡାକିଥିଲେ । ଶ୍ରୀ ସାହୁ କହିଥିଲେ ଯେ ପରୀ ହତ୍ୟା ଘଟଣା ଏକ ସମ୍ବେଦନଶୀଳ ଘଟଣା । ଏକ ଛୋଟ ଝିଅ ପରୀର ହତ୍ୟା ତାଙ୍କୁ ବ୍ୟଥିତ କରିଛି । ତାଙ୍କ ପରିବାରକୁ ନ୍ୟାୟ ମିଳିବା ତାଙ୍କର ଉଦ୍ଦେଶ୍ୟ । ରାଜ୍ୟ ସରକାର ଏହି ଘଟଣାରେ କ୍ରାଇମ ବ୍ରାଂଚ ନିର୍ଦେଶ ଦେଇଛନ୍ତି । ସେ ତାକୁ ସ୍ୱାଗତ କରୁଛନ୍ତି । ଏହା ଦ୍ୱାରା ପରୀର ପରିବାରକୁ ନ୍ୟାୟ ମିଳିବ ବୋଲି ତାଙ୍କର ବିଶ୍ୱାସ ରହିଛି ।
ମନ୍ତ୍ରୀ ତାଙ୍କର ସ୍ପଷ୍ଟିକରଣଦେବା ପରେ ମଧ୍ୟ ବିରୋଧୀ ଦଳର ସଦସ୍ୟ ମାନେ ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ । ସେମାନେ ତାଙ୍କର ବହିଷ୍କାର ଦାବି କରିଥିଲେ । ଅନ୍ୟ ଏକ ଘୋଷଣାରେ ବାଚସ୍ପତି କହିଥିଲେ, ଆଜି ପୂର୍ବାହ୍ନ ୧୦.୧୦
ରେ ଗୃହର ସୁପରିଚାଳନା ନିମନ୍ତେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ା ଉକ୍ତ ବୈଠକର ନିଷ୍ପତି କ୍ରମେ ମୁଲତବୀ ପ୍ରସ୍ତାବର ଫଳ ପ୍ରଦ ଆଲୋଚନା ନିମନ୍ତେ ଚଳିତ ଅଧିବେଶନ ପାଇଁ ସମୟ ନିର୍ଧାରଣ କରାଯାଇଛି ।