ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ

0 116

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହେଉଛି । ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲାପରିଷଦ ଜୋନ୍‍ର ୧ ହଜାର ୬୬୯ଟି ଗ୍ରାମପଞ୍ଚାୟତରେ ମତଦାନ ଅନୁଷ୍ଠିତ ହେବ । ମୋଟ ୬୭ଟି ଲକ୍ଷ ୫୧ ହଜାର ଭୋଟର ସେମାନଙ୍କର ମତାଧିକାରୀ ସାବ୍ୟସ୍ତ କରିବେ । ଏଥିପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା
ଧାର୍ଯ୍ୟ ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଆସନ୍ତାକାଲି ସନ୍ଧ୍ୟା ୭ଟା ପରେ ନିର୍ବାଚନ ପ୍ରଚାର ହେବ ନାହିଁ । ଗତକାଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲ୍ଲାପାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଏହି ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । ନିର୍ବାଚନ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ କୌଣସି ବାହ୍ୟ ରାଜନୈତିକ କର୍ମୀ କିମ୍ବା ନେତା ନ ରହିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଏବଂ ମଙ୍ଗଳବାର ମତଗ୍ରହଣ ପାଇଁ ସମ୍ପୃକ୍ତ ଅଧିକାରୀ ବୁଥ୍‍ ଅଭିମୁଖେ ଯାତ୍ରା କରିବେ ।



ପଞ୍ଚାୟତ ନିର୍ବାଚନ ମତଗଣନା ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ କରାଯିବ । ରାଜ୍ୟ ନିର୍ବାଚନ କମିଶନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଥମ ଥର ପାଇଁ ବ୍ଲକ୍‍ ମୁଖ୍ୟାଳୟରେ ମତଗଣନା ଅନୁଷ୍ଠିତ ହେବ । ଜିଲ୍ଲାପାଳ ବ୍ୟକ୍ତଗତ ଭାବେ ଭୋଟଗଣତି କେନ୍ଦ୍ର ନିର୍ଣ୍ଣୟଠାରୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ତଦାରଖ କରିବେ । ମତଗଣନା ୩ ଦିନ ମଧ୍ୟରେ ଶେଷ ହେବ । ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି
ମତଗଣନା ନିମନ୍ତେ ବ୍ଲକ୍‍ ମୁଖ୍ୟାଳୟରେ ପର୍ଯ୍ୟାପ୍ତ ସ୍ଥାନ ନଥିବ ତେବେ ସେଠାରେ ଥିବା ସରକାରୀ କୋଠା, ମହାବିଦ୍ୟାଳୟ କିମ୍ବା ଉଚ୍ଚବିଦ୍ୟାଳୟ ଗୃହକୁ ଏଥିପାଇଁ ବ୍ୟବହାର କରାଯାଇପାରିବ । ମତଗ୍ରହଣ ପରେ ଭୋଟ ବାକ୍ସଗୁଡ଼ିକୁ ମତ ଗଣନା କେନ୍ଦ୍ର ନିକଟସ୍ଥ ଷ୍ଟ୍ରଙ୍ଗ୍‍ରୁମ୍‍ରେ ରଖାଯିବ ।

ମତଗଣନା କେନ୍ଦ୍ରକୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଏବଂ ଜଳଯୋଗାଣ କରାଯିବ । ଷ୍ଟ୍ରଙ୍ଗରୁମ୍‍ରେ ୨୪ ଘଣ୍ଟିଆ ସିସିଟିଭି କାର୍ଯ୍ୟ କରିବ । ପ୍ରତ୍ୟେକ ମତଗଣନା ଟେବୁଲ ପାଇଁ ଜଣେ ସୁପରଭାଇଜର, ୨ ଜଣ ଆସିଷ୍ଟାଣ୍ଟ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିୟୋଜିତ ହେବେ । ମତଗଣନା ସମ୍ପିର୍କିତ ସମସ୍ତ କାର୍ଯ୍ୟର ଭିଡିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply