ଯଦି କୌଣସି ଛାତ୍ରଛାତ୍ରୀ ସେମାନଙ୍କ ନମ୍ବରକୁ ନେଇ ଅସନ୍ତୁଷ୍ଟ ଥାନ୍ତି, ତେବେ ସେମାନେ ଅଫ୍‍ଲାଇନ୍‌ରେ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ଼ ସଭାପତି ଶ୍ରୀ ହାଜରା କହିଛନ୍ତି

0 109

ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ଫଳାଫଳକୁ ନେଇ କିଛି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମୂଲ୍ୟାୟନରେ ଅନିୟମିତତା ହୋଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ମୂଲ୍ୟାୟନ ପ୍ରକ୍ରିୟାରେ ତ୍ରୁଟି ଅଭିଯୋଗକୁ ବୋର୍ଡ଼ ସଭାପତି ରାମାଶିଷ୍‍ ହାଜରା ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ସବୁକିଛି ସ୍ୱଚ୍ଛତାର ସହ ହୋଇଛି । ସ୍କୁଲ ଗୁଡ଼ିକରୁ ଯେଉଁ ନମ୍ବର ଆସିଥିଲା ତାହାକୁ ତର୍ଜମା କରି ପିଲାଙ୍କୁ ନମ୍ବର ଦିଆଯାଇଛି । କିଛି ବିଦ୍ୟାଳୟ ଭଲ ପ୍ରଦର୍ଶନ କରିବାକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଅଧିକ ନମ୍ବର ଦେଇଥିଲେ । ମାତ୍ର ତାକୁ ମଧ୍ୟ ତର୍ଜମା କରାଯାଇ ଉପଯୁକ୍ତ ନମ୍ବର ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ ସେମାନଙ୍କ ନମ୍ବରକୁ ନେଇ ଅସନ୍ତୁଷ୍ଟ ଥାନ୍ତି, ତେବେ ସେମାନେ ଅଫ୍‍ଲାଇନ୍‍ରେ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ଼ ସଭାପତି ଶ୍ରୀ ହାଜରା କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରାଯାଇ ଗତ ଜୁନ୍‍ ୨୫ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଅପରପକ୍ଷରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍‍ କରିଥିବାରୁ ନାମ ଲେଖା ପାଇଁ ସିଟ୍‍ ଅଭାବ ହେବା ଆଶଙ୍କାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଏଭଳି କୌଣସି ସମସ୍ୟା ଉପୁଜିବ ନାହିଁ । ପାସ୍‍ ହାର ଅନୁସାରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏଥର ୧୦ରୁ ୩୦ ପ୍ରତିଶତ ସିଟ୍‍ ବୃଦ୍ଧି କରିବା ନେଇ ସରକାରୀ ସ୍ତରରେ ବିଚାର ବିମର୍ଷ କରାଯାଉଛି । ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକ ଆଶ୍ୱସ୍ଥ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ମାଟ୍ରିକ୍‍ରେ ପାସ୍‍ ହାର ସର୍ବାଧିକ ୯୭ ଦଶମିକ୍‍ ୮/୯ ପ୍ରତିଶତ ରହିଛି ।

Leave A Reply