Sign in
Sign in
Recover your password.
A password will be e-mailed to you.
ନୂଆଦିଲ୍ଲୀ : ଆଗକୁ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ବଢିଚାଲିଥିବା ତେଲ ଦର କେନ୍ଦ୍ରର ମୋଦି ସରକାରଙ୍କ ଉପରେ ପ୍ରବଳ ଚାପ ରହିଥିଲା । କାରଣ କ୍ରମାଗତ ତେଲଦର ବୃଦ୍ଧି ଯ଼ୋଗୁଁ ଜନଅସନ୍ତୋଷ ବଢିଚାଲିଥିବାବେଳେ ବିରୋଧୀ ଦଳ ସରକାରଙ୍କୁ ନିୟମିତ ଟାର୍ଗେଟ କରିଚାଲିଥିଲେ । କିନ୍ତୁ ଆଜି ମୋଦି ସରକାର ଏକ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି । କେନ୍ଦ୍ରରେ ତେଲଦର ୨ଟଙ୍କା ୫୦ ପଇସା ହ୍ରାସ କରିବାକୁ ସରକାର ଘୋଷଣା କରିଥିବାବେଳେ ଦଶଟି ବିଜେପି ଶାସିତ ରାଜ୍ୟ ମଧ୍ୟ ତେଲ ଉପରୁ ଆଉ ୨ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି ଏହା ଫଳରେ ଦେଶର ଦଶଟି ବିଜେପି ଶାସିତ ରାଜ୍ୟରେ ତେଲ ଦର ଏକାଥରକେ ୫ ଟଙ୍କା କମିଯ଼ାଇଛି । ଏବେ ବିରୋଧୀ ଦଳ ଶାସିତ ରାଜ୍ୟମାନେ ଦର କମାଇବାକୁ ବାଧ୍ୟ ହୋଇଯ଼ିବେ, କାରଣ ବଲ ଏବେ ସେମାନଙ୍କ କୋର୍ଟରେ । ସେମାନେ ଏବେ ବଡ ଧର୍ମସଂକଟରେ ପଡିଯ଼ାଇଛନ୍ତି । ଗୋଟିଏ ପଟେ ଦର କମାଇଲେ ତାହାର କ୍ରେଡିଟ କେନ୍ଦ୍ର ସରକାରଙ୍କୁ ଯ଼ିବ, ଦର ନ କମାଇଲେ ଲୋକଙ୍କ ରୋଷରୁ ବଂଚିପାରିବେ ନାହିଁ ।
ଆଜିର ଦର ହ୍ରାସ ସଂପର୍କରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ସରକାର ତେଲ ଉପରୁ ୧ ଟଙ୍କା ୫୦ ପଇସା କେନ୍ଦ୍ରୀୟ ଉତ୍ପାଦ ଶୁଳକ ହ୍ରାସ କରିବେ । ଏହା ଛଡା ତେଲ କମ୍ପାନିମାନେ ମଧ୍ୟ ୧ ଟଙ୍କା ହ୍ରାସ କରିବେ । ଏହା ଫଳରେ ପେଟ୍ରୋଲ ଓ ଡିଜେଲ ଦର ମୋଟ ୨ ଟଙ୍କା ୫୦ ପଇସା କମିବ । ଜେଟଲୀ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଟିକସ ହ୍ରାସ ପାଇଁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରମାନେ ଟିକସ ହ୍ରାସ କଲେ ସାଧାରଣ ଖାଉଟି ଉପକୃତ ହେବେ ବୋଲି ସେ କହିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଫଳରେ ଗତ ମଇ ମାସରୁ ତେଲଦର ବଢିଚାଲିଛି । ଏହା ସହିତ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା କାରଣରୁ ମଧ୍ୟ ତେଲ ଆମଦାନୀ ମହଙ୍ଗା ହେଉଛି । କିନ୍ତୁ ଏହା ଦ୍ୱାରା ଦେଶରେ ଜନଅସନ୍ତୋଷ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆଜି ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜେଟଲୀଙ୍କୁ ଭେଟିଥିଲେ ।