ଲକ୍ଷ୍ମୀ ପୂଜା ଓ ମୁହୁରତ ଟ୍ରେଡିଂ ଉତ୍ସବ ସହ ଦୀପାବଳି ପାଳନ କରିଛି ଏନଏସଇ
ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ ପାରମ୍ପରିକ ଲକ୍ଷ୍ମୀ ପୂଜା ଓ ଏକ ବେଲ-ରିଙ୍ଗିଙ୍ଗ୍ ଇଭେଂଟ ସହିତ ଦୀପାବଳି ଓ ମୁହୁରତ ଟ୍ରେଡିଙ୍ଗ୍ର ଶୁଭ ଅବସରକୁ ପାଳନ କରାଯାଇଛି । ଏହି ଉତ୍ସବରେ ସିନେମା, ସଂସ୍କୃତି ଓ ସାମାଜିକ ସଂଗଠନଗୁଡିକର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଏନଏସଇର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ, ଶ୍ରୀ ଆଶିଷ କୁମାର ଚୌହାନଙ୍କ ସମେତ ଲୋକପ୍ରିୟ ଅଭିନେତ୍ରୀ ପୁନମ ଧିଲନ, ଶ୍ରୀମତି ପଦ୍ମିନୀ କୋହ୍ଲାପୁରୀ ଓ ସିବା ଅଗ୍ରୱାଲ, ପ୍ରତିଷ୍ଠିତ ଚଳଚିତ୍ର ନିର୍ମାତା ଶ୍ରୀ ଭାରତବାଳା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଅଲ୍ ଇଣ୍ଡିଆ ଆଉଟରିଚ ମୁଖ୍ୟ ଶ୍ରୀ ରାମ ଲାଲ ଏବଂ ୱାର୍ଲ୍ଡ ହିନ୍ଦୁ କଂଗ୍ରେସ ଓ ୱାର୍ଲ୍ଡ ହିନ୍ଦୁ ଇକୋନୋମିକ ଫୋରମର ପ୍ରତିଷ୍ଠାତା ସ୍ୱାମୀ ବିଜ୍ଞାନନ୍ଦ ଜୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅତିଥିମାନେ ଏନଏସଇର ଲକ୍ଷ୍ମୀ ପୂଜା ଓ ସେରେମୋନିଆଲ ବେଲ ରିଙ୍ଗିଙ୍ଗ୍ରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯାହା ସମୃଦ୍ଧି, ସକାରାତ୍ମକତା ଓ ନୂତନ ଆରମ୍ଭକୁ ସୂଚିତ କରିଥିଲା । ଏହି ଅବସର ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଏହାର ବିକଶିତ ପୁଞ୍ଜି ବଜାର ମଧ୍ୟରେ ସ୍ଥାୟୀ ସଂଯୋଗକୁ ପ୍ରତିଫଳନ କରିଛି । ଏନଏସଇରେ ଅନୁଷ୍ଠିତ ହୋଇଥିବା ମୁହୁରତ ଟ୍ରେଡିଂ ଭାରତୀୟ ଆର୍ଥିକ ବଜାରର ଏକ ଦୀର୍ଘ ପୁରାତନ ପରମ୍ପରା ଅଟେ । ଏହା ହେଉଛି ଏକ ସ୍ୱତନ୍ତ୍ର କାରବାର ଅଧିବେଶନ ଯାହାକୁ ନୂତନ ହିନ୍ଦୁ କ୍ୟାଲେଣ୍ଡର ବର୍ଷ, ବିକ୍ରମ ସମ୍ଭତର ଆରମ୍ଭକୁ ଚିହ୍ନିତ କରିବା ପାଇଁ ଦୀପାବଳି ଅବସରରେ ପରିଚାଳନା କରାଯାଇଥାଏ ।
ପ୍ରଥମେ ୧୯୫୭ରେ ଭାରତର ଷ୍ଟକ ମାର୍କେଟରେ ମୁହୁରତ ଟ୍ରେଡିଂର ପରମ୍ପରା ଆରମ୍ଭ ହୋଇଥିଲା । ୧୯୯୪ରେ ପରିଚାଳନା ଆରମ୍ଭ କରିଥିବା ଏନଏସଇ ଏହାର ବାର୍ଷିକ ଦୀପାବଳି ଉତ୍ସବର ଅଂଶ ଭାବେ ଏହି ପରମ୍ପରାକୁ ପାଳନ କରିଆସୁଛି । ଏହାର ଧାର୍ମିକ ଓ ସାଂସ୍କୃତିକ ମହତ୍ୱ ବାହାରେ ମୁହୁତର ଟ୍ରେଡିଂ ନିବେଶକଙ୍କ ପାଇଁ ଆର୍ଥିକ ଅଭିବୃଦ୍ଧି, ଶୃଙ୍ଖଳିତ ନିବେଶ ଓ ଦୀର୍ଘକାଳିନ ସମ୍ପତି ସୃଷ୍ଟି ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ସୁଦୃଢ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ । ଏନଏସଇରେ ଦୀପାବଳି ଉତ୍ସବ ପରମ୍ପରା ଓ ଆଧୁନିକ ଆର୍ଥିକ ବ୍ୟବସ୍ଥାର ଏକ ସୁନ୍ଦର ମିଶ୍ରଣକୁ ଆଲୋକିତ କରିଥାଏ, ଯାହା ଭାରତର ସାଂସ୍କୃତିକ ଐତିହ୍ୟ ସହ ଏକ ବର୍ଦ୍ଧିତ ନିବେଶକ ସମୁଦାୟର ମହତ୍ୱାକାଂକ୍ଷାକୁ ସଂଯୋଗ କରିବାରେ ଏକ୍ସଚେଞ୍ଜର ଭୂମିକାକୁ ମଜବୁତ କରିଛି ।
Comments are closed, but trackbacks and pingbacks are open.