ମହାନଦୀରେ ବନ୍ୟା ଆଶଙ୍କା ନାହିଁ

0 73

ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଶୁକ୍ରବାରରେ ଅପରାହ୍ଣରେ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା କହିଛନ୍ତି । ଉପର ମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦକୁ ଜଳ ପ୍ରବେଶ ମଧ୍ୟ ହ୍ରାସ ପାଇଛି । ତେଣୁ ମହାନଦୀ ଅବବାହିକାରେ ବିଶେଷ ସମସ୍ୟା ସୃଷ୍ଟି ହେବ ନାହିଁ । ସେ କହିଛନ୍ତି, ଆସନ୍ତାକାଲି ସକାଳେ ମୁଣ୍ଡଳୀ ଦେଇ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ ।


ଗୁରୁବାର ସୁଦ୍ଧା ହୀରାକୁଦକୁ ୫ ଲକ୍ଷ ୫୦ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା । ଶୁକ୍ରବାର ଅପରାହ୍ଣରେ ତାହା ହ୍ରାସ ପାଇ ୪ ଲକ୍ଷ ୫୬ ହଜାର ୧୫୬ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪ ଲକ୍ଷ ୮୧ ହଜାର ୫୭୦ କ୍ୟୁସେକ୍‍ ଜଳ ୨୮ଟି ସ୍ଲୁଇସ୍‍ ଗେଟ୍‍ ଦେଇ ନିଷ୍କାସିତ କରାଯାଇଛି ।

ମୁଣ୍ଡଳି ଦେଇ ୭ ଲକ୍ଷ ୫୦ ହଜାରରୁ ୮ ଲକ୍ଷ କ୍ୟୁସେକ ମଧ୍ୟରେ ଜଳ ପ୍ରବାହିତ ହେବ । ଏହାଦ୍ୱାରା ମହାନଦୀ ଅବବାହିକାରେ ବିଶେଷ ସମସ୍ୟା ସୃଷ୍ଟି ହେବନି । ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକାର ଜଳସ୍ତର କମିବା ଆରମ୍ଭ ହୋଇଛି ।


ତେବେ ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ସେଠାରେ ବିପଦ ସଙ୍କେତ ୧୦ ଦଶମିକ ୩/୬ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୦ ଦଶମିକ ୪/୧ ମିଟର ଉପରେ ପ୍ରବାହିତ ହେଉଛି । ଘଣ୍ଟାକୁ ୪ ସେଣ୍ଟିମିଟର ହାରରେ ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ଶୁକ୍ରବାର ରାତି ୧୦ରୁ ୧୨ଟା ମଧ୍ୟରେ ସର୍ବାଧିକ ଜଳସ୍ତର ବୃଦ୍ଧି ପାଇଛି । ଏହାଦ୍ୱାରା ବାଲେଶ୍ୱର ଭୋଗରାଇ, ବାଲିଆପାଳ ଆଦି ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଏନେଇ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଥିବା ଏସ୍‍.ଆର୍‍.ସି. କହିଛନ୍ତି । ତେବେ ଏଥିରେ ବିଶେଷ କିଛି କ୍ଷତି ହୋଇ ନ ପାରେ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply