ନୂଆଦିଲ୍ଲୀ : ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମୟ ଏବେ ଭଲ ଚାଲିନାହିଁ । ବୋଧହୁଏ ରାହୁ ମହାଦଶା ଚାଲିଛି । ଗୋଟିଏ ପଟେ ଭାରତ ସରକାର ତାଙ୍କୁ ଜେଲରେ ଭର୍ତ୍ତି କରିବାକୁ ଅନେଇ ବସିଛନ୍ତି । ଅନ୍ୟପଟେ ସେ କୋର୍ଟରେ ବିଭିନ୍ନ ମାମଲା ହାରି ଚାଲିଛନ୍ତି । ଭାରତରେ ବିଭିନ୍ନ ସମ୍ପତ୍ତି ହାରିବା ପରେ ତାଙ୍କର ଲଣ୍ଡନରେ ଥିବା ଏକ ବହୁମୂଲ୍ୟ ସମ୍ପତ୍ତି ଖସିଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ତାହା ହେଉଛି ଲଣ୍ଡନର ପ୍ରସିଦ୍ଧ ରିଜେଣ୍ଟସ ପାର୍କ ନିକଟରେ ଥିବା ତାଙ୍କର ରିଜେଣ୍ଟସ ପାର୍କ ମାନସନ । ଏହା କୋଠାର ବିଶେଷତ୍ୱ ହେଉଛି ଏଥିରେ ରହିଛି ଏକ ସୁନା ଟଏଲେଟ (ଶୌଚାଳୟ) । ଏହି କୋଠାଟି ସ୍ୱିଜରଲାଣ୍ଡର ୟୁବିଏସ ବ୍ୟାଙ୍କ ନିକଟରେ ବନ୍ଧକ ଥିଲା । ମାଲ୍ୟା ପ୍ରାୟ ୨୦ ନିୟୁତ ପାଉଣ୍ଡ ପରିଶୋଧ ନ କରିବାରୁ ଏହି ସୁନା ଟଏଲେଟ ବିଶିଷ୍ଟ କୋଠାକୁ ବ୍ୟାଙ୍କ ଅଧିକାର କରିବାକୁ ପଦକ୍ଷେପ ଆରମ୍ଭ କରିଛି । ଏଥିପାଇଁ ବ୍ୟାଙ୍କକୁ ଲଣ୍ଡନର ଏକ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହା ସହିତ ବ୍ୟାଙ୍କକୁ ଅତିରିକ୍ତ ୮୮ ହଜାର ପାଉଣ୍ଡ ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।