ଶାରଦୀୟ ନବରାତ୍ରୀର ଷଷ୍ଠ ଦିନରେ ମା’ କାତ୍ୟାୟିନୀଙ୍କ ଆରାଧନା କରନ୍ତୁ, ଶତ୍ରୁ ଉପରେ ବିଜୟପ୍ରାପ୍ତ ହେବେ

0 2,605

ନବରାତ୍ରର ଷଷ୍ଠ ଦିବସରେ ମାତା କାତ୍ୟାୟିନୀଙ୍କୁ ଆରାଧନା କରାଯାଏ । ମହାଯୁଦ୍ଧର ଅଧିଷ୍ଠାତ୍ରୀ ଦେବୀ ଅଗ୍ନୀ ରୂପା ଏହି ଦେବୀ । ଶତ୍ରୁର ବିନାଶ ପାଇଁ ଏହି ଦେବୀଙ୍କ ଆବାହନ କରାଯାଏ । ତୈତରୀୟ ଆରଣ୍ୟକ, ସ୍କନ୍ଦ ପୁରାଣ, ଦେବୀ ଭାଗବତ,ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦୂର୍ଗାସପ୍ତସତୀ ଓ କାଳିକା ପୂରାଣରେ ଏହି ଦେବୀଙ୍କ ସଂପର୍କରେ ବର୍ଣ୍ଣନା ରହିଛି । ଦେବୀଭାଗବତ ଓ ସପ୍ତସତୀ ଚଣ୍ଡୀର ବର୍ଣ୍ଣନା ଅନୁସାରେ ଋଷି କାତ୍ୟାୟନଙ୍କ କନ୍ୟା ହେଉଛନ୍ତି କାତ୍ୟାୟିନୀ । କିନ୍ତୁ କାଳିକା ପୂରାଣ ମତରେ ଋଷି କାତ୍ୟାୟନ ଭଗବତୀ ଦୂର୍ଗାଙ୍କ ଏକ ସ୍ୱତନ୍ତ୍ର ତଥା ଅତ୍ୟନ୍ତ ଶକ୍ତିଶାଳୀ ସ୍ୱରୂପର ସର୍ବପ୍ରଥମ ଆରାଧନା କରିଥିଲେ । ତାଙ୍କ ନାମାନୁସାରେ ଦେବୀଙ୍କ ନାମ କାତ୍ୟାୟିନୀ ହୋଇଛି । ବାମନ ପୁରାଣ ଅନୁସାରେ ମହାପ୍ରତାପୀ ମହିଷାସୁରର ଦମନ ପାଇଁ ଦେବତାମାନେ ଭଗବାନ ଶ୍ରୀହରିଙ୍କ ଶରଣାପତ୍ତ ହେବାପରେ ତ୍ରିଦେବ ବ୍ରହ୍ମା-ବିଷ୍ଣ ଓ ମହେଶ୍ୱରଙ୍କ କ୍ରୋଧନଳରୁ ଜାତହେଲେ ଅଗ୍ନୀସ୍ୱରୂପା ଅଷ୍ଟଭୂଜା ତ୍ରିନୟନା କାତ୍ୟାୟିନୀ । ସହସ୍ର ସୂର୍ଯ୍ୟସମ ତାଙ୍କ ତେଜରେ ସମଗ୍ର ବ୍ରହ୍ମାଣ୍ଡ ଚମକି ଉଠିଲା । ସମସ୍ତ ଦେବଗଣଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ହୋଇ ସେ ତୁରନ୍ତ ଯୁଦ୍ଧଯାତ୍ରା କଲେ ଓ ରାକ୍ଷସ ରାଜ ସହିତ ଭୟଙ୍କର ଯୁଦ୍ଧକରି ତାକୁ ନିହତ କଲେ । କେତେକ ମତରେ ଦେବୀ ଚତୁର୍ଭୁଜା ଓ ହାତରେ ଚନ୍ଦ୍ରହାସ ଖଡଗ ଧରି ସିଂହ ଉପରେ ସବାର ହୋଇଥାନ୍ତି ।

ଧ୍ୟାନ-
ଚନ୍ଦ୍ରୋହାସୋଜ୍ଜ୍ୱଲକରା ଶାର୍ଦ୍ଦୁଳବରବାହନା ।
କାତ୍ୟାୟିନୀ ଶୁଭଂଦଦ୍ୟା ଦେବୀ ଦାନବଘାତିନୀ ।।

Leave A Reply