ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବିଶାଖାପାଟଣାଠାରୁ ପ୍ରାୟ ୨୫୦ କିଲୋମିଟର ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଛି । କ୍ରମଶଃ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ମଧ୍ୟରାତ୍ରି ସୁଦ୍ଧା ଏହା ଆନ୍ଧ୍ର ଉପକୂଳ
ଦେଇ ସ୍ଥଳଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଚି । ବିଶେଷତଃ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗିରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୩ଟି ଜିଲ୍ଲାପାଇଁ ୟେଲୋ ଓ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ମାଲକାନଗିରି, ରାୟଗଡ଼ା, କୋରାପୁଟ୍, ଗଜପତି ଓ ଗଞ୍ଜାମ ଜିଲ୍ଲାପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ସତର୍କ ରହିବାପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି ।