କୋଭିଡ୍ କଟକଣା ସହିତ ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର ଖୋଲିଛି । କୋଭିଡ୍ ନିୟମ ମାନି ଲୋକେ ମାଆଙ୍କୁ ଦର୍ଶନ କରୁଛନ୍ତି । ସହରର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।
ସେହିପରି ଆସନ୍ତାକାଲିଠାରୁ କଟକ ସହରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଜିଲ୍ଲାପାଳ ଭବାନୀଶଙ୍କର ଚଇନି କହିଛନ୍ତି, ବିଭିନ୍ନ ମନ୍ଦିର ଖୋଲିବା ନେଇ କଟକ ମହାନଗର ନିଗମ ନିଷ୍ପତ୍ତି ନେବେ ।
ତେବେ ଆସନ୍ତାକାଲି ଯାଜପୁରର ଅଧିଷ୍ଠାତ୍ରୀଦେବୀ ମାଆ ବିରଜା ମନ୍ଦିର ସମେତ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।
ପୁରୀ ଜିଲ୍ଲାରେ ଥିବା ସମସ୍ତ ଧର୍ମାନୁଷ୍ଠାନଗୁଡ଼ିକ ଆଜିଠାରୁ ଖୋଲାଯିବା ସହ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ତେବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ କେବେ ଖୋଲିବ ସେ ସମ୍ପର୍କରେ ଆସନ୍ତାକାଲି ବୈଠକରେ ନିଷ୍ପତ୍ତି ନିଆଯିବ ।
କାଲିଠାରୁ କେନ୍ଦ୍ରାପଡ଼ାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କୋରାପୁଟରେ ଗୁପ୍ତେଶ୍ୱର ବ୍ୟତୀତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି ।