ଭୁବନେଶ୍ୱର – ପ୍ରତିଦିନ ଦେଶରେ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହାର ପ୍ରତିକାର ପାଇଁ କେନ୍ଦ୍ର ସରକାର ଦେଶବ୍ୟାପି ସମସ୍ତ ଜିଲ୍ଲାର ତଥ୍ୟ ଆଧାରରେ ବିଭିନ୍ନ ଜୋନ୍ ଘୋଷଣା କରିଛନ୍ତି । ଅଧିକସଂକ୍ରମଣ ଥିବା ଜିଲ୍ଲାଗୁଡିକୁ ରେଡ୍ ଜୋନ୍ ଭାବେ ଚିହ୍ନଟ କରାଯାଇଥିବାବେଳେ ତା’ ତଳକୁ ଅରେଞ୍ଜ ଓ ଗ୍ରୀନ ଜୋନ୍ ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଗତ ୨୧ ଦିନ ଧରି କୌଣସି ନୂତନ ମାମଲା ଚିହ୍ନଟ ହୋଇ ନ ଥିବା ଜିଲ୍ଲାଗୁଡିକୁ ଗ୍ରୀନ ଜୋନ୍ କରାଯାଇଛି । ତେବେ ଦେଶବ୍ୟାପୀ ବର୍ତ୍ତମାନ ୧୩୪ଟି ଜିଲ୍ଲା ରେଡ୍ ଜୋନ୍ରେ ଥିବାବେଳେ ଅରେଞ୍ଜ ଜୋନରେ ୨୮୪ଟି ଜିଲ୍ଲା ଏବଂ ଗ୍ରୀନ ଜୋନ୍ରେ ୩୧୯ଟି ଜିଲ୍ଲା ରହିଛି । କେନ୍ଦ୍ର ସରକାରଙ୍କ ଏହି ତାଲିକା ଅନୁସାରେ ଓଡିଶାର ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ରେଡ୍ ଜୋନରେ ସ୍ଥାନ ପାଇଛି । ଅନ୍ୟପକ୍ଷରେ ପୂର୍ବରୁ ରେଡ୍ ଜୋନ୍ରେ ଥିବା ଖୋର୍ଦ୍ଧା ଜିଲ୍ଲା ଏବେ ଅରେଞ୍ଜ ଜୋନରେ ସ୍ଥାନ ପାଇଛି ।