ଓଡ଼ିଆ ହକି ଖେଳାଳି ଲିଲିମା ମିଞ୍ଜ୍ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଏକ ଟ୍ୱିଟ୍ ବାର୍ତ୍ତାରେ ଲିଲିମା କହିଛନ୍ତି, ଭାରତୀୟ ଦଳରେ ସାମିଲ୍ ହୋଇ ଦେଶର ପ୍ରତିନିଧିତ୍ୱ କରିଥିବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଲିଲିମା ୨୦୧୧ରେ ଆର୍ଜେଣ୍ଟିନାରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ୍ରେ ପ୍ରଥମ ଥର ଲାଗି ଭାରତୀୟ ଦକ୍ଷ ପକ୍ଷରୁ ଖେଳିଥିଲେ ।
ସେହିପରି ଅଭିଜ୍ଞ ମିଡ୍ ଫିଲ୍ଡର୍ ଭାବେ ଦଳର ବିଜୟରେ ଅନେକ ଥର ପ୍ରମୁଖ ଭୂମିକା ସେ ଗ୍ରହଣ କରିଥିବାର ନଜିର୍ ରହିଛି । ଭାରତ ପାଇଁ ସେ ୧୫୬ଟି ମ୍ୟାଚ୍ ଖେଳି ୧୨ଟି ଗୋଲ୍ ସ୍କୋର୍ କରିଥିଲେ । ୨୦୧୪ ଏସିଆନ୍ ଗେମ୍ସ୍ରେ ବ୍ରୋଞ୍ଜ୍, ୨୦୧୮ ଏସିଆନ୍ ଗେମ୍ସ୍ରେ ରୌପ୍ୟ ଏବଂ ୨୦୧୯ ହିରୋସୀମା ଏଫ.ଆଇ.ଏଚ୍. ମହିଳା ସିରିଜ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ଦଳର ସଦସ୍ୟ ଥିଲେ ।
ଦୀର୍ଘ ୩୬ ବର୍ଷ ପରେ ୨୦୧୬ ମସିହା ରିଓ ଅଲିମ୍ପିକ୍ସ ଖେଳିଥିବା ଐତିହାସିକ ଭାରତୀୟ ମହିଳା ଦଳରେ ମଧ୍ୟ ସେ ସ୍ଥାନ ପାଇଥିଲେ । ୨୦୧୮ରେ ତାଙ୍କୁ ରାଜ୍ୟର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଅବସର ପରେ ସେ ଆଗକୁ ଓଡ଼ିଶା ହକି ଦଳର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।