ଏକ ହଜାର ବିଧବା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କ୍ରିଷ୍ଣା କୁଟୀରକୁ ବୃନ୍ଦାବନଠାରେ ଉଦଘାଟିତ

ଅସହାୟ ମହିଳା ଏବଂ ଶିଶୁମାନଙ୍କ ପାଇଁ ଲକ୍ଷ୍ନୌ ଏବଂ ବାରଣାସୀରେ ବୃହତ୍ତ ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ଭୂମି ପ୍ରଦାନ କରିବେ ଉତ୍ତରପ୍ରଦେଶ ସରକାର

0 489

ବୃନ୍ଦାବନ .- ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ସଂଜୟ ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ, ବିଧବା ମହିଳାମାନଙ୍କ ପାଇଁ  ଉତ୍ତରପ୍ରଦେଶ ମଥୁରାର ବୃନ୍ଦାବନଠାରେ କ୍ରିଷ୍ଣା କୁଟୀରର ଉଦଘାଟନ କରିଛନ୍ତି । ଉତ୍ତର ପ୍ରଦେଶର ମହିଳା କଲ୍ୟାଣ ମନ୍ତ୍ରୀ ପ୍ରୋଫେସର ରୀତା ବହୁଗୁଣା ଜୋଶୀ, ଉତ୍ତର ପ୍ରଦେଶର ଧର୍ମାର୍ଥ କାର୍ଯ୍ୟମନ୍ତ୍ରୀ ଲକ୍ଷ୍ମୀନାରାୟଣ ଚୌଧୁରୀ ଏବଂ ମଥୁରା ସାଂସଦ ହେମାମାଳିନୀ ପ୍ରମୁଖ ବିଶିଷ୍ଟ ଅତିଥିମାନେ ଏହି ଅବସରରେ ଉପସ୍ଥିତ ଥିଲେ  । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧିନରେ ସ୍ୱାଧାର ଗୃହ ଯୋଜନା ଅନ୍ତର୍ଗତ ସ୍ୱତନ୍ତ୍ର ଥଇଥାନ କେନ୍ଦ୍ର କ୍ରିଷ୍ଣା କୁଟୀର ପ୍ରତିଷ୍ଠା କରାଯାଇଛି  । ସରକାରୀ ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ ଏହା ହେଉଛି ସର୍ବବୃହତ ସୁବିଧା ଥିବା ଗୃହ ଯେଉଁଥିରେ ଏକ ହଜାର ବିଧବା ମହିଳାଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା ରହିଛି  ।

 

ଏହି ଅବସରରେ ମେନକା ସଂଜୟ ଗାନ୍ଧୀ କହିଥିଲେ ଯେ ବୃନ୍ଦାବନର ବହୁ ସଂଖ୍ୟାରେ ଥିବା ଅସହାୟ ବିଧବା ମହିଳାମାନଙ୍କୁ ଏହି ବୃନ୍ଦାବନ ଗୃହରେ ସୁରକ୍ଷା ଏବଂ ଥଇଥାନ କରିବାର ବ୍ୟବସ୍ଥା ରହିଛି  । ଏହି ମହିଳାମାନଙ୍କ ପାଇଁ ଜିଲା ପ୍ରଶାସନ ଏହି ଗୃହ ନିକଟରେ ୪ ଏକର ଜମି ପ୍ରଦାନ କରିଛନ୍ତି ଯେଉଁଠାରେ ଏକ ପାର୍କ ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ । ସେ କହିଥିଲେ ଯେ ଏହି ବିଧବା ଗୃହର ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯିବ ଏବଂ ସେଥିରେ ଏହି ମହିଳାମାନେ ସଦସ୍ୟ ରହିବେ । ବାରଣାସୀଠାରେ ଏହିଭଳି ଗୃହ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପ୍ରତିଷ୍ଠା କରାଯିବା ପାଇଁ ଜମି ପ୍ରଦାନ କରିବାକୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ମେନକା ଗାନ୍ଧୀ ଅନୁରୋଧ କରିଥିଲେ । ଲକ୍ଷ୍ନୌ କିମ୍ବା ଏହାର ନିକଟବର୍ତ୍ତୀ ଅଂଚଳରେ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ଅନାଥ ପିଲା, ଅସହାୟ/ଉପେକ୍ଷିତ ମହିଳାମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ ଥିବା ଏକ ସୁପରିବେଶ ସୃଷ୍ଟି କରିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆଗ୍ରହୀ ବୋଲି ଶ୍ରୀମତୀ ମେନକା ଗାନ୍ଧୀ ପ୍ରସ୍ତାବ ଦେଇଥିଲେ । ଜେଲରେ ରହୁଥିବା ମହିଳାମାନଙ୍କର ଏବଂ ମାନସିକ ବିକାରଗ୍ରସ୍ତ ଆଶ୍ରୟସ୍ଥଳରେ ରହୁଥିବା ମହିଳାମାନଙ୍କର ଅବସ୍ଥା ବିଷୟରେ ସରକାର ନୀରିକ୍ଷଣ କରନ୍ତୁ ବୋଲି ସେ କହିଥିଲେ  ।

 

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କର ପ୍ରସ୍ତାବ ଗ୍ରହଣ କରି ଉତ୍ତର ପ୍ରଦେଶ ସରକାର ବାରଣାସୀ ଏବଂ ଲକ୍ଷ୍ନୌଠାରେ ମହିଳା ଏବଂ ଶିଶୁମାନଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ଆବଶ୍ୟକୀୟ ଜମି ଉତ୍ତରପ୍ରଦେଶ ସରକାର ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ । ସେ କହିଥିଲେ ଯେ ଖାସକରି ଅସହାୟ ମହିଳା ଏବଂ ଶିଶୁମାନଙ୍କୁ ସୁରକ୍ଷା ଓ ସହଯୋଗ ପ୍ରଦାନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ରହିଛି  । ଏହି ଲକ୍ଷ୍ୟ ପୂରଣ କ୍ଷେତ୍ରରେ ଉତ୍ତର ପ୍ରଦେଶ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ୱାନ ଷ୍ଟପ କେନ୍ଦ୍ରଗୁଡିକୁ ୧୮୧ ହେଲ୍ପଲାଇନ ନମ୍ବର ସହ ସଂଯୋଗ କରାଯାଇଛି ଏବଂ ପ୍ରତି ଜିଲାରେ ପୀଡିତ  ମହିଳାମାନଙ୍କ ଉଦ୍ଧାର ପାଇଁ ବାହନ ଯୋଗାଇଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  ।

 

ମହିଳା ଓ ଶିଶୁ ବିକାଶ ସଚିବ ରାକେଶ ଶ୍ରୀବାସ୍ତବ କହିଥିଲେ ଯେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଉପେକ୍ଷିତ ଏବଂ ବାସହୀନ ମହିଳାମାନଙ୍କ ପାଇଁ ସ୍ୱଧାର ଗୃହ ଯୋଜନା ଆରମ୍ଭ କରିଛି  । ଏହାଦ୍ୱାରା ସଂପୃକ୍ତ ମହିଳାମାନଙ୍କର କ୍ଳେଶ ଦୂର କରିବା ସହିତ ସମ୍ମାନର ସହ ବଂଚିବା ପାଇଁ ନିଜ ଭିତରେ ଆତ୍ମବିଶ୍ୱାସ ଭରିଦେବ  ।

ଏକ ହଜାର ଅନ୍ତେବାସୀ ବିଧବା ମହିଳାମାନଙ୍କ ପାଇଁ ୧.୪ ହେକ୍ଟର ଜମିରେ ରାଷ୍ଟ୍ରୀୟ ଗୃହ ନିର୍ମାଣ ନିଗମ ଜରିଆରେ ୫୭ କୋଟି ଟଙ୍କା (ଜମି ମୂଲ୍ୟ ସହିତ) ଖର୍ଚ୍ଚରେ କ୍ରିଷ୍ଣା କୁଟୀର ନିର୍ମାଣ କରାଯାଇଛି  । ଏଥିରେ ୧୦୦ଟି ରୁମ/ ଡର୍ମିଟରୀ ସୁନ୍ଦର ଭାବେ ନିର୍ମିତ ହୋଇଛି  । ହେଲପେଜ ଇଣ୍ଡିଆର ପରାମର୍ଶକ୍ରମେ ଏବଂ ବୃଦ୍ଧାମାନଙ୍କୁ ସୁହାଇଲା ଭଳି ଏହି ଘରର ଡିଜାଇନ କରାଯାଇଛି  । ଏହା ତଳ ମହଲା ସମେତ ଆଉ ତିନି ମହଲା ବିଶିଷ୍ଟ କରାଯାଇଛି ଯେଉଁଥିରେ ରାମ୍ପ, ଲିଫ୍ଟ, ନିରନ୍ତର ବିଦ୍ୟୁତ, ଜଳ ଯୋଗାଣ ବ୍ୟବସ୍ଥା ସହିତ ବରିଷ୍ଠ ନାଗରିକମାନଙ୍କ ପାଇଁ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ରହିଛି  । ଏଥିସହିତ ବୃହତ ଆଧୁନିକ ରୋଷେଇ ଗୃହ ସହିତ ଦକ୍ଷତା ଏବଂ ପ୍ରଶିକ୍ଷଣ କେନ୍ଦ୍ର ରହିଛି । ଅନ୍ତେବାସୀଙ୍କ ନିରନ୍ତର ମେଡିକାଲ ଚେକଅପ ପାଇଁ ଦୁଇଟି ଡିସ୍ପେନସାରୀ ଏବଂ ଫିଜିଓଥେରାପୀ ସୁବିଧା ଉପଲବ୍ଧ କରାଯାଇଛି । ଏହି ଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁଦାନ ପ୍ରଦାନ କରିଥିଲାବେଳେ ଏହାର ପରିଚାଳନା ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା କରାଯିବ  । ଅନ୍ତେବାସୀମାନଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନଭେମ୍ବର-ଡିସେମ୍ବର, ୨୦୧୭ରୁ ଏକ ମାସ ପର୍ଯ୍ୟନ୍ତ ଏକ ପ୍ରତିଯୋଗୀତା ସାମାଜିକ ଗଣମାଧ୍ୟମରେ ‘Name the Vrindavan Ashram’ ଆରମ୍ଭ କରିଛି । ଏହି ପ୍ରତିଯୋଗୀତାରେ କ୍ରିଷ୍ଣା କୁଟୀରର ଶ୍ରୀମତୀ ସୁନୀତା କଟୟାଲଙ୍କୁ ଚୟନ କମିଟି ବିଜେତା ପ୍ରବେଶ ଭାବେ ଚୟନ କରିଛି  । ମେନକା ସଂଜୟ ଗାନ୍ଧୀ ୨୦୧୬ରେ ଏହି ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଥିଲେ  ।

 

ବୃନ୍ଦାବନଠାରେ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା ବିଧବା ମହିଳାମାନଙ୍କ ଦୁଃଖ ଲାଘବ କ୍ଷେତ୍ରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବିଧବା ଗୃହ ନିର୍ମାଣ କରାଯାଇଛି  । ନିଜ ଜନ୍ମସ୍ଥାନକୁ ଫେରିବା ପାଇଁ ଅନିଚ୍ଛୁକ ଥିବା ମହିଳାମାନଙ୍କର ଅନୁରୋଧକ୍ରମେ ମନ୍ଦିରମାଳିନୀ ସହର ବୃନ୍ଦାବନଠାରେ ସମସ୍ତ ସୁବିଧା ସହିତ ସମ୍ମାନର ସହ ଜୀବନ ଅତିବାହିତ କରିବା ପାଇଁ ଏହି ନିର୍ମାଣ କରାଯାଇଛି  ।

Leave A Reply