ପବିତ୍ର କାର୍ତ୍ତିକ ମାସ ହିନ୍ଦୁ ଧର୍ମଧାରାରେ ଶ୍ରେଷ୍ଠ । ପୁରାଣରେ କୁହାଯାଇଛି, କାର୍ତ୍ତିକ ପରି ମାସ, ସତ୍ୟ ପରି ଯୁଗ, ବେଦ ପରି ଶାସ୍ତ୍ର ଓ ଗଙ୍ଗା ପରି ତୀର୍ଥ ସଂସାରରେ ଦୁର୍ଲଭ । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ପାଲଟିଯାଏ ସ୍ୱର୍ଗ । ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଧାଇଁ ଆସନ୍ତି କାର୍ତ୍ତିକ ବ୍ରତ ପାଳନ ନିମନ୍ତେ । ବ୍ରତଚାରୀମାନେ ନିଷ୍ଠାପର ଭାବେ ଏଠାରେ ରହି ପ୍ରତ୍ୟହ ତୀର୍ଥସ୍ନାନ ଅର୍ଥାତ୍ ମହୋଦଧି, ତୀର୍ଥ ପୁଷ୍କରିଣୀ ଓ ନଦୀରେ ସ୍ନାନ କରି ଦାମୋଦର ପୂଜା, ବୃନ୍ଦାବତୀ ପୂଜା ଓ ବାଲୁକା ପୂଜା ସହିତ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ ଓ ହବିଷ୍ୟାନ୍ନ ଭୋଜନ ଅଥବା ଶ୍ରୀମନ୍ଦିରରେ ଅବଢ଼ା ସେବନ କରି, ଦୀପଜାଳି, ବିବିଧ ପୁରାଣ ଶ୍ରବଣ କରି ସମୟ କାଟନ୍ତି ।
ପଞ୍ଚୁକ ଶେଷଦିନ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପ୍ରସିଦ୍ଧ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୁଏ । ପାଳିଆ ସେବକମାନେ ତିନି ଠାକୁରଙ୍କୁ ବିବିଧ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଭୂଷିତ କରିଥାଆନ୍ତି । ଏହି ରାଜ ବେଶରେ ସୁବର୍ଣ୍ଣ ଶ୍ରୀଭୁଜ, କିରୀଟ, ଶ୍ରୀପୟର, କର୍ଣ୍ଣ, ଓଡ଼ିଆଣୀ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଘାଘଡ଼ା ମାଳି, କଦମ୍ବ ମାଳି, ବାହାଜ ମାଳି, ତାବିଜ,ସେବତୀ, ହଳ ମୂଷଳ,ଚକ୍ର, ଅଳକା, ରୁପା ଶଙ୍ଖ ଓ ତଗଡ଼ୀ ଆଦି ୨୩ ପ୍ରକାର ପ୍ରାୟ ୬୦ଟିରୁ ଅଧିକ ରତ୍ନଅଳଙ୍କାର ଲାଗିହୁଏ ।