ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ସେରୋସର୍ଭେ । ପ୍ରଥମ ଦିନରେ କେସିଙ୍ଗା ବ୍ଲକ ଚାଞ୍ଚେର ଗାଁରୁ ଏହି ସେରୋ ସର୍ଭେ ଆରମ୍ଭ ହୋଇଥିବାବେଳେ ଆଜି ଭବାନୀପାଟଣା ବ୍ଲକ ତେନ୍ତୁଳିଖୁଣ୍ଟିଠାରେ କାର୍ଯ୍ୟାରମ୍ଭ ହୋଇଛି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ଧର୍ମଗଡ଼, ଜୁନାଗଡ଼, ଲାଞ୍ଜିଗଡ଼ ଓ ନର୍ଲା ବ୍ଲକରେ ଏହି ସର୍ଭେ ଚାଲୁରହିବ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪୦୦ ଜନସାଧାରଣ ଓ ୧୦୦ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରିବାକୁ ସ୍ୱାସ୍ଥ୍ୟବିଭାଗ ଲକ୍ଷ୍ୟ ରଖିଛି । ଏହି ସର୍ଭେକୁ ସୁପରିଚାଳନା କରିବା ପାଇଁ ଏକ ୪ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । କୋଭିଡ୍ ପରେ ଲୋକଙ୍କ ମଧ୍ୟରେ କେତେ ପରିମାଣରେ ଆଣ୍ଟିବଡ଼ି ବିକଶିତ ହୋଇଛି ସେହି ଉଦ୍ଦେଶ୍ୟରେ ଏହି ସେରୋ ସର୍ଭେ କରାଯାଉଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଦେଶରେ ଗତକାଲି ସୁଦ୍ଧା ୬୫ କୋଟି ୪୧ ଲକ୍ଷ ୧୩ ହଜାର ୫୦୮ ଡୋଜ୍ କରୋନା ପ୍ରତିଷେଧକ ଟିକା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତକାଲି ଗୋଟିଏ ଦିନରେ ୧ କୋଟି ୩୩ ଲକ୍ଷ ୧୮ ହଜାର ୭୧୮ ଡୋଜ୍ ଟିକା ଦିଆଯାଇଛି ।
ସେହିଭଳି ରାଜ୍ୟରେ ଏପର୍ଯ୍ୟନ୍ତ ୨ କୋଟି ୨୩ ଲକ୍ଷ ୮ ହଜାର ୫୭୫ ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧ କୋଟି ୬୮ ଲକ୍ଷ ୮୫ ହଜାର୪୭୬ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୫୪ ଲକ୍ଷ ୨୩ ହଜାର ୯୯ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।