କରୋନାର ତୃତୀୟ ଲହର ଆସିବା ନେଇ ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଥିବାବେଳେ ରାଜ୍ୟରେ ଦ୍ୱିତୀୟ ଲହରର ପ୍ରାର୍ଦୁଭାବ କମିବାରେ ଲାଗିଛି । ତେବେ କରୋନା ପ୍ରଭାବିତ ରୋଗୀ ଏବଂ ଅନ୍ୟ ସାଧାରଣ ଲୋକଙ୍କଠାରେ ସମ୍ପ୍ରତି ଦେଖାଦେଇଥିବା ବ୍ଲାକ ଫଙ୍ଗସ୍ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇଛି ।
ରାଜ୍ୟରେ ଆଜି ପର୍ଯ୍ୟନ୍ତ ବ୍ଲାକ୍ ଫଙ୍ଗସ୍ରେ ୨୧୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବାବେଳେ ୧୦୯ଜଣ ଏବେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ୨୯ ଜଣ ରୋଗୀଙ୍କର ବ୍ଲାକଫଙ୍ଗସ୍ରେ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଟିକାକରଣର ଅଗ୍ରଗତି ବେଶ ଉତ୍ସାହପ୍ରଦ ରହିଛି । ଗତକାଲି ଗୋଟିଏ ଦିନରେ ଓଡ଼ିଶାରେ ୪ ଲକ୍ଷ ୧୬ ହଜାରରୁ ଅଧିକ ଟିକା ଦିଆଯାଇଛି । ଯାହାକି ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମର ଏହା ସର୍ବକାଳୀନ ରେକର୍ଡ । ରାଜ୍ୟରେ ଇତିମଧ୍ୟରେ ୨ କୋଟି ୮୦ ଲକ୍ଷ ୪୮ ହଜାର ୫୩୮ ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ୨ କୋଟି ୬ ଲକ୍ଷ ୫୧ ହଜାର ୭୧୩ ପ୍ରଥମ ଡୋଜ ନେଇଥିବାବେଳେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ୭୩ ଲକ୍ଷ ୯୬ ହଜାର ୮୨୫ । ବର୍ତ୍ତମାନ ରାଜ୍ୟରେ
୨୨ ଲକ୍ଷ ଟିକା ମହଜୁଦ୍ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେହିପରି ଦେଶରେ ୮୧ କୋଟି ୯୨ ଲକ୍ଷ ୮୨ ହଜାର ୭୪୨ ଡୋଜ୍ ଟିକା ଦିଆଯାଇଛି । ୬୧ କୋଟି ୮ ଲକ୍ଷ ୮୬ ହଜାର ପ୍ରଥମ ଡୋଜ୍ ଟିକା ଦିଆଯାଇଥିବାବେଳେ ୨୦ କୋଟି ୮୩ ଲକ୍ଷ ୯୫ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ସହଯୋଗରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଏଥିରୁ ଆଜି ପରୀକ୍ଷାମୂଳକ ଭାବେ ସ୍ୱତନ୍ତ୍ର ନବଜାତ ଯତ୍ନ କେନ୍ଦ୍ରକୁ ଅକ୍ସିଜେନ୍ ଯୋଗାଣ ହୋଇଛି ।
କରୋନା ମହାମାରୀ ସମୟରେ ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ୍ର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ନିଜସ୍ୱ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ । ତୈଳ ମନ୍ତ୍ରଣାଳୟ ଅଧୀନସ୍ଥ ବିଭିନ୍ନ ତୈଳ ସଂସ୍ଥାନ ଓଡ଼ିଶାର ୬ଟି ସ୍ଥାନରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଦାୟିତ୍ୱ ନେଇଛନ୍ତି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ଥାପିତ ଏହି ପ୍ଲାଣ୍ଟର କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆଜିଠାରୁ ୭ଦିନ ପାଇଁ ଅକ୍ସିଜେନର ପରୀକ୍ଷାମୂଳକ ଯୋଗାଣ ଆରମ୍ଭ ହୋଇଛି । ଏହି ଅକ୍ସିଜେନ୍ ପ୍ଲାଣ୍ଟର କ୍ଷମତା ୪୫୦ ଏଲ୍ପିଏମ୍ ରହିଛି ।