ସରକାର ନିଷ୍ପତ୍ତି ନେଲେ ଓଡ଼ିଶାରେ ପୁଣି ଥରେ ବାଘ ଗଣନା ହେବ: ପିସିସିଏଫ
ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଘ ଦିବସ ଅବସରରେ ସର୍ବ ଭାରତୀୟ ବାଘ ଗଣନା-୨୦୧୮ ରିପୋର୍ଟ ପାଇବା ପରେ ଓଡ଼ିଶାର ବାଘ ସଂଖ୍ୟାକୁ ନେଇ ସନ୍ଦେହ ଦେଖାଯାଇଛି। ଜାତୀୟ ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ମୋଟ ୨୮ଟି ବାଘ ଅଛନ୍ତି। ମାତ୍ର ବନ ବିଭାଗ ଏହି ରିପୋର୍ଟକୁ ସ୍ୱୀକାର କରୁ ନାହିଁ। ତେଣୁ ସରକାର ଯଦି ନିଷ୍ପତ୍ତି ନିଅନ୍ତି, ତା’ହେଲେ ଓଡ଼ିଶାରେ ପୁଣି ଥରେ ବାଘ ଗଣନା ହେବ।
ପିସିସିଏଫ କହିଛନ୍ତି, ଓଡ଼ିଶାରେ ୨୮ ନୁହେଁ, ବରଂ ଏଥିରୁ ଅଧିକ ବାଘ ଥିବା ବିଶ୍ୱାସ କରାଯାଉଛି। କ୍ୟାମେରା ଟ୍ରାପ୍ ମେଥଡ ଅନୁଯାୟୀ ୨୮ଟି ବାଘ ଥିବା କୁହାଯାଉଛି କିନ୍ତୁ ଅନେକ ଘଞ୍ଚ ଜଙ୍ଗଲ ଅଛି, ଯେଉଁଠି କ୍ୟାମେରା ଟ୍ରାପ ସମ୍ଭବ ନୁହେଁ। ସେ କହିଛନ୍ତି, ଆମେ ପୂର୍ବରୁ ପଗ୍ ମାର୍କ ପନ୍ଥା ଅବଲମ୍ବନ କରି ବାଘ ଗଣନା କରୁଥିଲୁ। ତେଣୁ ସରକାର ଯଦି ନିଷ୍ପତ୍ତି ନିଅନ୍ତି, ତା’ହେଲେ ଖରା ଦିନେ ପଗ୍ ମାର୍କ ଗଣନା ହେବ।