ମେରାମଣ୍ଡଳୀ: ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩ ଢେଙ୍କାନାଳ ଜିଲ୍ଲାରେ ପ୍ରବେଶ କରିଥିବା ବେଳେ ଆଜି ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ଫାଟକରେ ତାହାକୁ ଭବ୍ୟ ସ୍ୱାଗତ କରାଯାଇଛି ।
ଓଡ଼ାପଡ଼ା ବ୍ଲକ୍ର କଂଟାବଣିଆସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନା ଫାଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରଫିକୁ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀ ଉଦୟ ମହାପାତ୍ର, ଉପ ଜିଲ୍ଲାପାଳ – ହିନ୍ଦୋଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପ୍ରଦୀପ୍ତ ମହାନ୍ତି, ଟିଏସ୍ଏମ୍ର ଆଇରନ୍ ମେକିଂ ମୁଖ୍ୟ ଶ୍ରୀ ଅମିତ୍ କୁମାର ସିଂହ ଗ୍ରହଣ କରିଛନ୍ତି ।
ଅନୁଗୁଳ ଜିଲ୍ଲାରୁ ଟ୍ରଫି ଆସି ପହଂଚିବା ପରେ ମଂଚରେ ଉପସ୍ଥିତ ଉତ୍ସାହୀମାନେ ଉଲ୍ଲସିତ ହୋଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିମାନେ ପୁଷ୍ପମାଲ୍ୟ ସହ ତାହାକୁ ସ୍ୱାଗତ କରିଛନ୍ତି ।
ଏହି ଅବସରରେ ସମ୍ବୋଧିତ କରି ଶ୍ରୀମତୀ ସୀମାରାଣୀ ନାୟକ କହିଛନ୍ତି ଯେ, “ଏହି ଟ୍ରଫିକୁ ସ୍ୱାଗତ କରିବା ଏବଂ ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମର ଅଂଶ ହେବା ଜିଲ୍ଲାର ଲୋକ ବିଶେଷ କରି ଯୁବବର୍ଗଙ୍କ ପାଇଁ ଗୌରବର ବିଷୟ । କ୍ରୀଡ଼ା ଭାବେ ହକି ପ୍ରତି ଆଗ୍ରହ ଦେଖାଇବା ଏବଂ ବିଶେଷ କରି ଚଳିତ ବର୍ଷ ଓଡ଼ିଶାରେ ଆୟୋଜନ କରାଯାଉଥିବା ହକି ବିଶ୍ୱକପ୍ ପାଇଁ ଯୁବବର୍ଗଙ୍କ ଭିତରେ ଉତ୍ସାହର ପ୍ରସାର କରିବାକୁ ଆମେ ଉଦ୍ୟମ କରୁଛୁ ।’’
ଏହି ଐତିହାସିକ ମୁହୂର୍ତର ଅଂଶ ହେବା ଏବଂ ଟ୍ରଫିକୁ ସ୍ୱାଗତ କରିବା ଲାଗି କାର୍ଯ୍ୟକ୍ରମ ସ୍ଥଳ ଭାବେ ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ଚୟନ କରାଯାଇଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇ ଶ୍ରୀ ଅମିତ କୁମାର ସିଂହ କହିଛନ୍ତି ଯେ, “ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଅଫିସିଆଲ୍ ପାର୍ଟନର୍ ଭାବେ ଢେଙ୍କାନାଳ ଜିଲ୍ଲାକୁ ଟ୍ରଫିକୁ ସ୍ୱାଗତ କରି ଟାଟା ଷ୍ଟିଲ୍ ଗର୍ବିତ ମନେ କରୁଛି । ଟ୍ରଫିକୁ ପରିକ୍ରମା କରାଯିବାର ଥିବାରୁ ଆମେ ଆଶା କରୁଛୁ ଯେ ତାହା ଯୁବବର୍ଗ ଏବଂ କ୍ରୀଡ଼ାବିତ ମାନଙ୍କ ଆଶାକୁ ଅନୁପ୍ରାଣିତ କରିି ଏହି ସୁନ୍ଦର କ୍ରୀଡ଼ା ପ୍ରତି ସେମାନଙ୍କ ଆଗ୍ରହ ବିକାଶ କରିବ ।’’
ଏହି ଅବସରରେ ଅନୁଗୁଳ ଏନର୍ଜି ଲିମିଟେଡ୍ର ପରିଚାଳନା ନିର୍ଦେଶକ ଶ୍ରୀ ଶୈଳେଶ ବର୍ମା, ଚିଫ୍ ସେୟାରଡ୍ ସର୍ଭିସେସ୍ ବେଦ ପ୍ରକାଶ ଠାକୁର, ଚିଫ୍ କର୍ପୋରେଟ୍ ସର୍ଭିସେସ୍ ମୋହିତ ଦାସ, ଚିଫ୍ ବିଜନେସ୍ ଫାଇନାନ୍ସ ଆଣ୍ଡ୍ ଆକାଉଂଟସ୍ ଶ୍ରୀ ଶକ୍ତିଶ୍ରୀ ଦାସଙ୍କ ସମେତ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ରେ ତାଲିମ ହାସଲ କରୁଥିବା ସ୍ଥାନୀୟ ଗ୍ରାମର ଭଲିବଲ ଖେଳାଳି ଏବଂ ଜିଲ୍ଲା କିକ୍ ବକ୍ସିଂ ସଂଘର ସଦସ୍ୟମାନେ ମଧ୍ୟ ଉତ୍ସାହର ସହ ଏହି ସ୍ୱାଗତ ସମାରୋହରେ ଅଂଶଗ୍ରହଣ କରିଥିଲେ ।
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଅଫିସିଆଲ୍ ପାର୍ଟନର ହେବା ପାଇଁ ୨୦୨୨ ଡିସେମ୍ବର ୧୩ ତାରିଖରେ ଟାଟା ଷ୍ଟିଲ୍ ପକ୍ଷରୁ ହକି ଇଣ୍ଡିଆ ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଥିଲା । ଏହି ଟୁର୍ଣ୍ଣାମେଂଟ୍ ୨୦୨୩ ଜାନୁଆରି ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ଯେଉଁଥିରେ ୧୬ଟି ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଭାଗ ନେବେ ।
ଶ୍ରେଷ୍ଠ ସ୍ତରର ଆବାସିକ ତାଲିମ ବ୍ୟବସ୍ଥା ସ୍ଥାପନ କରିବା ଏବଂ ଆନ୍ତର୍ଜାତିକ ପ୍ରଶିକ୍ଷକ, ନ୍ୟୁଟ୍ରିସନିଷ୍ଟ ଏବଂ ମାନସିକ ଓ ଶାରିରୀକ ପ୍ରଶିକ୍ଷକଙ୍କ ବ୍ୟବସ୍ଥା ଆଦି ସମେତ ଭାରତରେ କ୍ରୀଡ଼ାକୁ ସମର୍ଥନ କରିବା ଏବଂ ତାହାର ପ୍ରସାର କରିବାରେ ଟାଟା ଷ୍ଟିଲ୍ର ଏକ ଦୀର୍ଘ ଇତିହାସ ରହିଛି ।
ଟାଟା ଷ୍ଟିଲ୍ ଓ ଟାଟା ଟ୍ରଷ୍ଟ୍ସ ସହଯୋଗିତାରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ଏକ ଅଭିଯାନ ଓଡ଼ିଶା ନାଭାଲ୍ ଟାଟା ହକି ହାଇପରଫର୍ମାନ୍ସ ସେଂଟର୍ (ଏଚ୍ପିସି) ସାରା ରାଜ୍ୟରେ ଢେଙ୍କାନାଳ ସମେତ ୬ଟି ଜିଲ୍ଲାରେ ୧୪ ତୃଣମୂଳ କେନ୍ଦ୍ରର ପରିଚାଳନା କରୁଛି । ୩୦ ଅଭିଜ୍ଞ ପ୍ରଶିକ୍ଷକମାନଙ୍କ ଦ୍ୱାରା ଏହି କେନ୍ଦ୍ରଗୁଡ଼ିକରେ ପ୍ରାୟ ୨୨୦୦ ଯୁବ ପ୍ରଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରାଯାଉଛି ।
ଗତ ୧୨ ମାସ ଭିତରେ ୬ ଜଣ କ୍ୟାଡେଟ୍ ଭାରତୀୟ ଜାତୀୟ କନିଷ୍ଠ ମହିଳା ଶିବିରକୁ ଚୟନ ହେବା ହେଉଛି ହକି ଏଚ୍ପିସିର ଉଦ୍ୟମ ଏବଂ ଓଡ଼ିଶାରେ ଏହା ଚଲାଇଥିବା ତୃଣମୂଳ କାର୍ଯ୍ୟକ୍ରମ ପ୍ରତି ସ୍ୱୀକୃତି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.