ରାଜ୍ୟ ସରକାର ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁମାଗଣାରେ କରୋନା ପ୍ରତିଷେଧକ ଟିକା ଯୋଗାଇ ଦେବେ

0 5,587

ରାଜ୍ୟ ସରକାର ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁମାଗଣାରେ କରୋନା ପ୍ରତିଷେଧକ ଟିକା ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର ଦୁଇ କୋଟି ଲୋକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ଶ୍ରୀ ପଟ୍ଟନାୟକ କହିଛନ୍ତି, ଗତବର୍ଷ ଠାରୁ ଚଳିତ ବର୍ଷର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି । ତେଣୁ ପରିସ୍ଥିତିର ଭୟାବହତାକୁ ବୁଝି ସମସ୍ତେ କୋଭିଡ୍‍ ନିୟମ ପାଳନ କରିବାକୁ ସେ ହାତ ଯୋଡ଼ି ଅନୁରୋଧ କରିଛନ୍ତି । ସମସ୍ତେ ସତର୍କ ରହିବା ସହ ମାସ୍କ୍‍ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୂଲ୍ୟବାନ । ସେଥିପାଇଁ ସରକାରଙ୍କ ତରଫରୁ ଶଯ୍ୟାଠାରୁ ଆରମ୍ଭ କରି ଅକ୍ସିଜେନ୍‍, ଔଷଧ ଓ ଆମ୍ବୁଲାନ୍ସ ଆଦି ବ୍ୟବସ୍ଥାକୁ ମଜବୁତ କରାଯାଉଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍‍ଡାଉନ୍‍ କିମ୍ବା ସଟ୍‍ଡାଉନ୍‍ ଲାଗୁ କରିବାକୁ ସରକାର ଚାହାନ୍ତି ନାହିଁ । କାରଣ ଏହା ଆମ ଅର୍ଥନୀତିକୁ ଦୁର୍ବଳ
କରିଦେବ । ତେବେ ଅର୍ଥନୀତି ସହିତ ଜୀବନ ରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ ନିୟମମାନି ସାବଧାନ ରହି ବିନା ଲକ୍‍ଡାଉନ୍‍ରେ କୋଭିଡ୍‍ ଯୁଦ୍ଧ ଜିତିବା ପାଇଁ ପ୍ରଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଇତିମଧ୍ୟରେ ରାଜ୍ୟ ସରକାର ରାଜ୍ୟ ପାଇଁ ଆବଶ୍ୟକ ପରିମାଣର ଟିକା ବରାଦ କରିଛନ୍ତି । ମେ ପହିଲାରୁ ୧୮ରୁ ୪୫ ବର୍ଷର ବୟସର ବ୍ୟକ୍ତିଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅ ତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିସିଲ୍ଡ ଓ କୋଭାକ୍‍ସିନ୍‍ ପ୍ରସ୍ତୁତକାରୀ କମ୍ପାନୀମାନଙ୍କୁ ପୃଥକ ଚିଠି ଲେଖି ରାଜ୍ୟ ପାଇଁ ଟିକା ବରାଦ କରିଛନ୍ତି । ବି.ଏମ୍‍.ସି. ଅଞ୍ଚଳ ବ୍ୟତୀତ ରାଜ୍ୟର ବାକି ସବୁ ଅଞ୍ଚଳରେ କୋଭିସିଲ୍ଡ ଟିକା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି
ନେଇଛନ୍ତି । ତେବେ ଟିକା ନେବା ପାଇଁ ସମସ୍ତଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି ।

Leave A Reply