ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଫୁଲବାଣୀ ଜିଲ୍ଲାର ଦାରିଙ୍ଗିବାଡ଼ିରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଫଳରେ ରାଜ୍ୟରେ ପାରଦ ଖସୁଥିବା ଜଣାଯାଇଛି । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ।
ଆସନ୍ତା ୨୪ ଘଂଟା ମଧ୍ୟରେ ତୀବ୍ର ଶୀତ ଲହରୀ ସମ୍ଭାବନା ରହିଥିବାରୁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼ ଏବଂ ସମ୍ବଲପୁର ।
ସେହିପରି ୨୨ ତାରିଖ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ ଟି ଜିଲ୍ଲା ହେଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ ଏବଂ କନ୍ଧମାଳ । ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୩ ରେ ୧୦ ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ବାଇକ ଏବଂ ଖୋଲା କାରରେ ରାତିରେ ନ ବୁଲିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ଶିଶୁ ଏବଂ ବୟସ୍କଙ୍କୁ ବିନା ଶୀତ ବସ୍ତ୍ରରେ ବାହାରେ ବୁଲିବାକୁ ବାରଣ କରାଯାଇଛି । ରାତି ଓ ପାହାନ୍ତିଆ ସମୟରେ
ଘରେ ରହିବା ସହ ଗୃହପାଳିତ ପଶୁଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର ।