ପୁଲିସ, ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

0 324

ଭୁବନେଶ୍ୱର – କରୋନା-ଆଇନଶୃଙ୍ଖଳା ରାଜ୍ୟରେ କରୋନା ସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରରେ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ପୁଲିସ୍‍ ବିଭାଗର ବରିଷ୍ଠ ଅଧିକାର, ବିଭିନ୍ନ ରେଞ୍ଜ୍‍ର ଡି.ଆଇ.ଜି., ଡି.ସି.ପି. ଏବଂ ଜିଲ୍ଲା ଏସ୍‍.ପି.ମାନଙ୍କ ସହ ଆଲୋଚନା କରିଛନ୍ତି । ଲକ୍‍ଡାଉନ୍‍ ସମୟରେ ଓଡ଼ିଶା ପୁଲିସ୍‍ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ମୁଖ୍ୟମନ୍ତ୍ରୀ ସେଥିପାଇଁ ପୁଲିସ୍‍ ବାହିନୀକୁ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟ ତଥା ଘରେ ପହଞ୍ଚାଇବା ଦିଗରେ ପୁଲିସ୍‍ ବାହିନୀ ଯେଉଁ ମାନବୀୟ ସେବା ଯୋଗାଇଦେଇଛନ୍ତି, ତାହା ପୁଲିସ୍‍ର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଅମ୍ପନ୍‍ ବାତ୍ୟା ସମୟରେ ଆମର ଓଡ୍ରାଫ୍‍ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ୍‍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କରୋନା ମୁକାବିଲା ସମୟରେ ପୁଲିସ୍‍ କର୍ମଚାରୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିବା ସହ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି କିପରି ସୁନିଶ୍ଚିତ ଭାବେ ଖାଦ୍ୟ ଓ ସୁରକ୍ଷା ପାଇପାରିବେ ସେନେଇ ଯତ୍ନବାନ ହେବାକୁ ଆହ୍ୱାନ ଦେଇଛନ୍ତି ।

Leave A Reply