୮ରେ ଜାରି ହେବ ବିଜେପିର ନିର୍ବାଚନୀ ଇସ୍ତାହାର!

0 453

ନୂଆଦିଲ୍ଲୀ: ସପ୍ତଦଶ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଦେଶର ୨୦ଟି ରାଜ୍ୟର ବିଭିନ୍ନ ଲୋକସଭା ଆସନରେ ଅନିଷ୍ଠିତ ହେବ । ଏପ୍ରିଲ ୧୧ ପରେ ବିଭିନ୍ନ ତାରିଖରେ ମେ’ ୧୯ ଯାଏଁ ଆହୁରି ୬ଟି ପର୍ଯ୍ୟାୟରେ ମତଦାନ ହେବ । ଏହା ପୂର୍ବରୁ ରାଜନୈତିକ ଦଳମାନେ ପ୍ରଚାର କାମରେ ବ୍ୟସ୍ତ ଅଛନ୍ତି । ଭାରତୀୟ ଜନତା ପାର୍ଟି ଏପ୍ରିଲ ୮ ମଧ୍ୟରେ ନିର୍ବାଚନୀ ଇସ୍ତାହାର ପତ୍ର ଜାରି କରିବ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।
ରିପୋର୍ଟ ଅନୁସାରେ ବିଜେପିର ନିର୍ବାଚନୀ ଇସ୍ତାହାର ପତ୍ର ଜାରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ଇସ୍ତାହାର ଘୋଷଣା ପୂର୍ବରୁ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବିଜେପିର ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ନିର୍ମଳା ସୀତାରମଣ, ପୀୟୁଷ ଗୋୟଲ, ରବିଶଙ୍କର ପ୍ରସାଦ, ମୁଖତାର ଆବାସୀ ନବି, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୈଠକରେ ଉପସ୍ଥିତ ଥିଲେ ।
ବିଗତ ଲୋକସଭା ନିବାଚନରେ ବିଜେପି ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ଘୋଷଣା ପତ୍ର ‘ସଂକଳ୍ପ ପତ୍ର’କୁ ଏପ୍ରିଲ ୭ରେ ଜାରି କରାଯାଇଥିଲା । ୨୦୧୪ ଲୋକସଭା ନିର୍ବାଚନ ୯ ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ଚଳିତ ନିର୍ବାଚନରେ ନିର୍ବାଚନ ଆୟୋଗ କହିଛନ୍ତି, ଦଳ ନିଜର ଘୋଷଣା ପତ୍ରକୁ ମତଦାନର ୪୮ ଘଣ୍ଟା ପୂର୍ବରୁ ଜାରି କରିପାରିବେ ।
ସୂଚନାଯୋଗ୍ୟ କଂଗ୍ରେସ ନିଜର ଇସ୍ତାହାର ପତ୍ର ଚଳିତ ମାସ ୨ ତାରିଖରେ ଜାରି କରିଛି । କ୍ଷମତାକୁ ଆସିଲେ କଂଗ୍ରେସ ଦେଶର ୫ କୋଟି ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ସେହିଭଳି ୨୨ ଲକ୍ଷ ଯୁବକ/ଯୁବତୀଙ୍କୁ ରୋଜଗାର, ମହିଳାଙ୍କୁ ସୁରକ୍ଷା ଓ ଚାଷୀର ଉନ୍ନତି ଆଦି ଲୋଭନୀୟ ଯୋଜନା ଆଣିବାକୁ କଂଗ୍ରେସ ଘୋଷଣା କରିଛି ।

Leave A Reply