ରାହୁଲଙ୍କ ଭକ୍ତ ଅବତାର, କ୍ଷମତା ପାଇଁ କଂଗ୍ରେସର ନୂଆ ଚାଲ ?
ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଗତ ୧୫ ବର୍ଷ ହେଲା ଶାସନ କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର ନିର୍ବାଚନ ଜିତିବାକୁ ସବୁପ୍ରକାରର ରଣକୌଶଳ ଗ୍ରହଣ କରୁଛି । ଖାସ ଗାଦି ହାତେଇବା ପାଇଁ ଦିନେ ହିନ୍ଦୁତ୍ୱକୁ ପ୍ରବଳ ବିରୋଧ କରୁଥିବା ଦଳ ଏଥର ନିଜକୁ ପରମ ହିନ୍ଦୁବାଦୀ ବୋଲି ପ୍ରଚାର କରୁଛି । ତେବେ ରାହୁଲ ବାବାଙ୍କ ଏହି ନୂଆ ଅବତାରକୁ ଲୋକେ କେତେ ପସନ୍ଦ କରୁଛନ୍ତି ତାହା ଗଣତି ପରେ ଜଣାପଡିବ ।

୨୦୦୩ରେ ଦିଗବିଜୟ ସିଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବାବେଳେ ଜଣାଶୁଣା ନାଟ୍ୟକାର ଓ ଲେଖକ ହବିବ୍ ତନବିରଙ୍କୁ ପଠାଇ ପୁଙ୍ଗା ପଣ୍ଡିତ (ନିର୍ବୋଧ ବ୍ରାହ୍ମଣ ) ନାମକ ନାଟକ ରାଜ୍ୟର ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ କରାଇଥିଲେ । ମୁଖ୍ୟତଃ ହିନ୍ଦୁମାନଙ୍କ ପରମ୍ପରା କେତେ ଖରାପ, କେତେକ ଅନ୍ଧବିଶ୍ୱାସପୂର୍ଣ୍ଣ ତାହା ଦର୍ଶାଇବା ଏହି ନାକଟର ଉଦ୍ଦେଶ୍ୟ ଥିଲା । ଏହାକୁ ନେଇ ସେତେବେଳେ ରାଜ୍ୟରେ ହିନ୍ଦୁବାଦୀ ସଂଗଠନମାନେ ପ୍ରବଳ ବିରୋଧ କରିଥିଲେ ।
କିନ୍ତୁ ୩ ଥର କ୍ଷମତାରୁ ବାହାରେ ରହିବା ପରେ କଂଗ୍ରେସ ଏବେ ହିନ୍ଦୁମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି । ଏଥର ଜିତିବା ପାଇଁ କଂଗ୍ରେସ ନିଜର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପରମ ଶିବଭକ୍ତ, ପରମ ରାମଭକ୍ତ ଏପରିକି ନର୍ମଦା ଭକ୍ତ ବୋଲି ପ୍ରଚାର କରୁଛି । ରାହୁଲ ଗାନ୍ଧିମଧ୍ୟ ବିଭିନ୍ନ ଶିବାଳୟ, କୈଳାଶମାନସରୋବର, ରାମମନ୍ଦିର, ରାମଚନ୍ଦ୍ର ବାସକରୁଥିବା ଚିତ୍ରକୂଟ ଆଦି ସ୍ଥାନକୁ ପରିଦର୍ଶନ କରି ନିଜର ଭକ୍ତିକୁ ପ୍ରମାଣିତ କରୁଛନ୍ତି । ରାହୁଲଙ୍କୁ ଭକ୍ତ ବୋଲି ଦର୍ଶାଇ କଂଗ୍ରେସ ତରଫରୁ ପୋଷ୍ଟର ମରାଯାଉଛି । ତେବେ ଏସବୁ କରି ରାହୁଲ ଓ କଂଗ୍ରେସ ଲୋକଙ୍କ ମନକୁ କେତେ ଜିତିପାରୁଛନ୍ତି ତାହା ଆସନ୍ତା ଡିସେମ୍ବର ମାସରେ ଜଣାପଡିବ ।