ରାଜ୍ୟରେ ୧ କୋଟି ଲୋକଙ୍କୁ କରୋନାର ଦୁଇଟିଯାକ ଟିକା
ରାଜ୍ୟରେ ୧ କୋଟି ଲୋକଙ୍କୁ କରୋନାର ଦୁଇଟିଯାକ ଟିକା ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩ କୋଟି ୪୩ ଲକ୍ଷ ୬୨ ହଜାର ୫୨୪ ଜଣ ଟିକା ନେଇଛନ୍ତି । ଏପର୍ଯ୍ୟନ୍ତ ୨ କୋଟି ୪୩ ଲକ୍ଷ ୨୩ ହଜାର ୧୪୬ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୧ କୋଟି ୩୯ ଲକ୍ଷ ୪୩୮ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଆଜି ଗୋଟିଏ ଦିନରେ ୨ ଲକ୍ଷ ୭୭ ହଜାର ୫୭୫ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ୧ ହଜାର ୮୫୪ଟି ସରକାରୀ ଏବଂ ୩୭ଟି ଘରୋଇ ହସ୍ପିଟାଲ୍ରେ ଏହି ଟିକା ଦିଆଯାଉଛି । ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଜ୍ୟରେ ୧ କୋଟି ୭୪ ଲକ୍ଷ ୩୩ ହଜାର ୧୭୩ ଜଣ ପୁରୁଷ ଥିବାବେଳେ ୧ କୋଟି ୬୯ ଲକ୍ଷ ୨୧ ହଜାର ୫୫୫ ଜଣ ମହିଳା ରହିଛନ୍ତି । ସେହିଭଳି ୩ କୋଟି ୩୯ ଲକ୍ଷ ୯୭୭ ଡୋଜ୍ କୋଭିସିଲ୍ଡ୍ ଟିକା ଦିଆଯାଇଥିବାବେଳେ ୪୩ ଲକ୍ଷ ୧୬ ହଜାର ୭୬୬ ଡୋଜ୍ କୋଭାସ୍କିନ୍ ଟିକା ଦିଆଯାଇଛି ।
କୋ-ୱିନ୍ ପୋର୍ଟାଲ୍ରୁ ମିଳିଥବବା ସୂଚନା ଅନୁଯାୟୀ ୧୮ରୁ ୪୪ ବର୍ଷବୟସ ବର୍ଗରେ ୧ କୋଟି ୮୩ ଲକ୍ଷ ୪୫ ହଜାର ୧୬୮ ଜଣ, ୪୫ରୁ ୬୦ ବର୍ଷ ବୟସ ବର୍ଗରେ ୯୭ ଲକ୍ଷ ୧୯ ହଜାର ୧୫୫ ଜଣ ଏବଂ ୬୦ ବର୍ଷରୁ ଊଦ୍ଧ୍ୱର୍ ୬୨ ଲକ୍ଷ ୯୮ ହଜାର ୨୬୧ ଜଣଙ୍କୁ ଟିକାକରଣ କରାଯାଇଛି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବାକୁ ଲକ୍ଷ୍ୟ ରହିଛି । ବ୍ରହ୍ମପୁର, ଭୁବନେଶ୍ୱର ପୌରାଞ୍ଚଳରେ ଶତପ୍ରତିଶତ ପ୍ରଥମ ଡୋଜ୍ ଟୀକାକରଣ ହୋଇଛି । ୩୫୪୦ଟି ଗାଁରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ଟୀକାକରଣ ହୋଇଛି । ଆର୍.ଏମ୍.ଆର୍.ସି ଷ୍ଟଡି ଅନୁସାରେ ଲୋକଙ୍କଦେହରେ ଭଲ ଆଣ୍ଟିବଡି ଅଛି ।
ଅପରପକ୍ଷରେ ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୯୮ କୋଟି ୫୪ ଲକ୍ଷ ୮୭ ହଜାର ୮୯୭ ଡୋଜ୍ କୋଭିଡ୍ ପ୍ରତିଷେଧକ ଟିକା ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ସାରା ଦେଶରେ ୮୨ ଲକ୍ଷ ୨୬ ହଜାର୬୦୮ ଡୋଜ୍ ଟିକା ଦିଆଯାଇଛି । ସେହି ସମୟ ମଧ୍ୟରେ ୧୯ ହଜାର ୫୮୨ ଜଣ କୋଭିଡରୁ ଆରୋଗ୍ୟ ହୋଇଛନ୍ତି । ଏଥିସହିତ ଦେଶରେ କୋଭିଡ ଆରୋଗ୍ୟ ହାର ଶତକଡ଼ା ୯୮ ଦଶମିକ ୧/୨ ଭାଗରେ ପହଞ୍ଚିଛି । ଦେଶରେ କୋଭିଡରୁ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୩ କୋଟି ୩୪ ଲକ୍ଷରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୫୯୬ଜଣ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୯ ହଜାର ରହିଛି । ସଂକ୍ରମିତଙ୍କ ସଂଖ୍ୟା ମୋଟ୍ ସଂକ୍ରମଣର ଶତକଡ଼ା ଶୂନ୍ ଦଶମିକ ୫/୬ ଭାଗ ରହିଛି ।
ଦୈନିକ ସଂକ୍ରମଣ ହାର ଶତକଡ଼ା ୧ ଦଶମିକ ୩ ଭାଗ ରହିଛି । ଦେଶରେ ଏପର୍ଯ୍ୟନ୍ତ ୫୯ କୋଟି ୧୯ ଲକ୍ଷ କୋଭିଡ ନମୁନା ପରୀକ୍ଷା କରାଯାଇଛି । ଦେଶରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏପର୍ଯ୍ୟନ୍ତ ୧୦୨ କୋଟିରୁ ଅଧିକ କୋଭିଡ ପ୍ରତିଷେଧକ ଯୋଗାଇ ଦିଆଯାଇଛି ।
ରାଜ୍ୟରେ ଆଜି ୫୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ ୨୨ ହଜାର ୭୮୦ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୩ ଜଣ ଏବଂ କଟକ ଜିଲ୍ଲାରୁ ୬୭ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଗୋଟିଏ ଦିନରେ ଆଉ ୩୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୯୯ ଓ ସ୍ଥାନୀୟ ଅଞ୍ଚଳରୁ ୧୪୧ ଜଣଙ୍କ ସମେତ ୧୮ ବର୍ଷରୁ କମ୍ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ହଜାର ୪୧୭କୁ ବୃଦ୍ଧିପାଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୯, କଟକରୁ ୪୩ ଏବଂ ଷ୍ଟେଟ୍ପୁଲ୍ରୁ ୩୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଆଉ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୨୯୦କୁ ବୃଦ୍ଧି ପାଇଛି ।