୮୪ ବର୍ଷରେ ଓଡ଼ିଶା: ଗୁଜୁରାଟ-ତାମିଲନାଡୁର କପଡା ଶିଳ୍ପରେ କାମ କରୁଛନ୍ତି ଲକ୍ଷାଧିକ ଓଡ଼ିଆ ଶ୍ରମିକ
ଭୁବନେଶ୍ୱର: ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ହେବାକୁ ୮୩ ବର୍ଷ ପୂରିଛି । ଏହାରି ମଧ୍ୟରେ ଆମର ମହାପୁରୁଷଙ୍କ ସ୍ପପ୍ନ ପୂରା ହୋଇପାରି ନାହିଁ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ୱପ୍ନକୁ ଓଡ଼ିଶାର ରାଜନେତାମାନେ ଖାଇ ଦେଇଛନ୍ତି । ରାଜ୍ୟରେ ୫୦ ବର୍ଷରୁ ଅଧିକ ସମୟ କଂଗ୍ରେସ ଶାସନ କରିବା ପରେ ବିଗତ ୧୯ ବର୍ଷରେ ବିଜେଡି ନେତୃତ୍ୱରେ ନବୀନ ପଟ୍ଟନାୟକ ଶାସନ କରିଆସୁଛନ୍ତି । ଏହାରି ମଧ୍ୟରେ ଦାଦନ ଦୁଃଖ ବଢ଼ିଛି । ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟର ଏମିତ ଗାଁ ନଥିବ ଯେ, ସେଠାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉ ନଥିବେ । ଓଡ଼ିଶାର ଲକ୍ଷାଧିକ ଶ୍ରମିକମାନେ ତାମିଲନାଡୁ ଓ ଗୁଜୁରାଟର କପଡା ଶିଳ୍ପରେ କାମ କରୁଛନ୍ତି ।
ବାହାରକୁ ପଳାଇଯାଉଥିବା ଦାଦନ ଶ୍ରମିକମାନଙ୍କୁ ଓଡ଼ିଶାରେ କାମ ମିଳିଲେ ବହୁ ଉପକାର ମିଳନ୍ତା । ଏହା ଦ୍ୱାରା ପରୋକ୍ଷ ଭାବରେ ରାଜ୍ୟର ବିକାଶ ହୋଇପାରନ୍ତା । ଓଡ଼ିଶାରେ ମଧ୍ୟ କପଡା ଶିଳ୍ପକୁ ବିକାଶ କରାଯାଇ ପାରନ୍ତା କିନ୍ତୁ ସରକାରଙ୍କ ଆନ୍ତରିକତା ନାହିଁ । ଦିନ ଥିଲା ଗଂଜାମ ଜିଲ୍ଲାର ଆସିକା, ମୟୂରଭଂଜ ଓ ସୋନପୁରରେ ଥିବା ସୂତାକଳରେ ପାଖାପାଖି ୩୦ ହଜାର ଶ୍ରମିକ ପ୍ରତକ୍ଷ୍ୟ ଭାବରେ କାମ କରୁଥିଲେ । ଏଥି ସହିତ ଏହି ୩ଟି କାରଖାନାରେ ପରୋକ୍ଷ ଭାବରେ ଆହୁରି ୨୦ ହଜାର ଲୋକ କାମ କରୁଥିଲେ ।
ବର୍ଷ ୨୦୦୦ରେ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ୨୦୦୩ ଠାରୁ ଏହି ସୂତାକଳ ଗୁଡ଼ିକୁ ସେ ଘରୋଇ କମ୍ପାନୀ ହାତକୁ ଟେକି ଦେଲେ । କୋଲକାତାର କମ୍ପାନୀ ୨୦୦୭ରୁ ମୟୂରଭଂଜ ଓ ଆସକା ସୂତାକଳକୁ ସଂପୂର୍ଣ୍ଣ ବନ୍ଦ କରିଦେଲେ । ସୋନପୁର କଳ ବହୁ କଷ୍ଟରେ ଜରାଜୀର୍ଣ୍ଣ ଅବସ୍ଥାରେ ଚାଲିଛି । ସୂତାକଳ ଓ କପାଚାଷକୁ ସରକାର ପ୍ରୋତ୍ସାହନ ଦେଉ ନାହାନ୍ତି । ବାରମ୍ବାର ଅଭିଯୋଗ, ଆନ୍ଦୋଳନ ଓ ଦାବୀ ହେଉଥିଲେ ମଧ୍ୟ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ଦୃଷ୍ଟି ଦେଉ ନାହାନ୍ତି । ନିଜସ୍ୱ ଉଦ୍ୟମରେ କପାଚାଷ କରୁଥିବା ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି ।