ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନ୍ଫୋ ଭ୍ୟାଲିଠାରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଦୁଇଟି ହସ୍ପିଟାଲ୍ ହେଉଛି ବାଗ୍ଚି ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ୍ ଏବଂ ଅନୁସନ୍ଧାନ କେନ୍ଦ୍ର ଓ ବାଗ୍ଚି କରୁଣାଶ୍ରୟ ପାଲିଆଟିଭ୍ କେୟାର୍ ସେଣ୍ଟର୍ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ୍ ବାଗ୍ଚି ଏବଂ ପତ୍ନୀ ସୁସ୍ମିତା ବାଗ୍ଚି ଏହି ଦୁଇଟି ବିଶ୍ୱସ୍ତରୀୟ କର୍କଟ ପ୍ରତିଷ୍ଠାନ ପାଇଁ ୩୪୦ କୋଟି ଟଙ୍କା ଦାନ କରିଛନ୍ତି ।
ସୂଚନା ଅନୁସାରେ ଭୁବନେଶ୍ୱରରେ ଶ୍ରୀଶଙ୍କର ଫାଉଣ୍ଡେସନ୍ ୭୫୦ ଶଯ୍ୟା ବିଶିଷ୍ଟ କର୍କଟ ହସ୍ପିଟାଲ୍ ଖୋଲାଯିବାକୁ ଥିବାବେଳେ ବେଙ୍ଗାଲୁରୁ ଭିତ୍ତିକ ହସ୍ପିଟାଲ୍ ଫାଉଣ୍ଡେସନ୍ଦ୍ୱାରା ୧୧୦ ଶଯ୍ୟା ବିଶିଷ୍ଟ ପାଲିଆଟିଭ୍ କେୟାର୍ ୟୁନିଟ୍ ପ୍ରତିଷ୍ଠା କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉଭୟ ଅନୁଷ୍ଠାନ ଓଡ଼ିଶାର ରୋଗୀଙ୍କୁ ବିଶେଷକରି ଗରିବ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ସହାୟକ ହେବ । ଲୋକଙ୍କ ସେବା କରିବାପାଇଁ ଏହା ଶୀଘ୍ର କାର୍ଯ୍ୟକ୍ଷମ ହେବା ଦିଗରେ ରାଜ୍ୟ ସରକାର ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ସେ କହିଛନ୍ତି ।