-ସୁସ୍ବାଦୁ ଆଦିବାସୀ ପାରମ୍ପରିକ ଖାଦ୍ୟକୁ ପ୍ରୋତ୍ସାହନ
-୩୦ରୁ ଉର୍ଦ୍ଧ୍ୱ ଆଞ୍ଚଳିକ ଆଦିବାସୀ ଖାଦ୍ୟ ପ୍ରଦର୍ଶିତ
ସୁକିନ୍ଦା: ପାରମ୍ପରିକ ଆଦିବାସୀ ଖାଦ୍ୟ ତଥା ଆଦିବାସୀ ସଂସ୍କୃତିକୁ ପ୍ରୋତ୍ସାହନ ଦିଗରେ ଆଉ ଏକ ପଦକ୍ଷେପ ନେଇ ଟାଟା ଷ୍ଟିଲ ମାଇନିଙ୍ଗ ଟାଟା ଷ୍ଟିଲ ଫାଉଣ୍ଡେସନର ସହଭାଗିତାରେ ସୁକିନ୍ଦା କ୍ରୋମାଇଟ ମାଇନ୍ସ ଠାରେ ଏକ ନିଆରା ଖାଦ୍ୟ ଉତ୍ସବ “ପ୍ରଜାତୀୟ ଖାଦ୍ୟୋତ୍ସବ” ଆୟୋଜିତ ହୋଇଯାଇଛି।
ଜନଜାତି ସମୁଦାୟ ମାନଙ୍କର ଖାଦ୍ୟ ବିବିଧତାର ପ୍ରଦର୍ଶନ ସହ ଖାଣ୍ଟି ଆଦିବାସୀ ପାରମ୍ପରିକ ଖାଦ୍ୟ ଶୈଳୀ ଓ ଏହାର ପୁଷ୍ଟିକାରିତାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଏହି ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମାଣ୍ଡିଆ ଖିରି, ଖେଚୁଡ଼ି ଚିକେନ, ବଡ଼ି ଝୋଳ, ଆରିସା ପିଠା ଗୁଡ଼, ଚାଉଳ ଚା, ମହୁଲ ଖିରି, ମଣ୍ଡା ପିଠା, ସଜନା ଫୁଲ ଖେଚୁଡ଼ି, ମସୁର ଡାଲି ଚିଙ୍ଗୁଡ଼ି, ପତ୍ର ପିଠା ଓ ଚିକେନ ପତ୍ରପୋଡ଼ା ଆଦି ଅନେକ ପ୍ରକାରର ସୁସ୍ବାଦୁ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଆଗନ୍ତୁକମାନେ ଏହି ନିଆରା ଖାଦ୍ୟ ଗୁଡ଼ିକର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ବୁଝିବା ସହ ସମସ୍ତ ଷ୍ଟଲ୍ ବୁଲି ଆଦିବାସୀ ପାରମ୍ପରିକ ଖାଦ୍ୟର ମଜା ଉଠାଇଥିଲେ। କାଠ ଜାଳେଣି ଦ୍ଵାରା ମାଟି ଚୁଲିରେ ପ୍ରସ୍ତୁତ ଓ ଗଛ ପତ୍ରରେ ପରସା ଯାଉଥିବା ଏହି ନିଆରା ଖାଦ୍ୟ ସମ୍ଭାର ସମସ୍ତଙ୍କ ମନ ମୋହିଥିଲା।
ଏହି ଦିନିକିଆ ସ୍ଵତନ୍ତ୍ର ଖାଦ୍ୟୋତ୍ସବରେ କାହିଁ କେଉଁ କାଳରୁ ଚାଲି ଆସୁଥିବା ପ୍ରାକୃତିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଓ ଏହାର ପୁଷ୍ଟିକରିତା ବିଷୟରେ ଜାଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିବା ସହ ଷ୍ଟଲ୍ ଗୁଡ଼ିକରେ ଭିଡ଼ ଜମାଇଥିବା ଦେଖାଯାଇଥିଲା।
କାର୍ଯ୍ୟକ୍ରମରେ ଯୋଗଦେଇ ଟାଟା ଷ୍ଟିଲ ମାଇନିଙ୍ଗର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା କହିଥିଲେ ଯେ, ଜନଯାତୀୟ କୃଷି-ବନ ଭିତ୍ତିକ ଖାଦ୍ୟ ଗୁଡ଼ିକ ଅତ୍ୟନ୍ତ ପୁଷ୍ଟିକର ଓ ଆମେ ଏହାକୁ ଆମର ଖାଦ୍ୟ ତାଲିକାରେ ନିଶ୍ଚୟ ସାମିଲ କରିବା ଦରକାର। ଏହା ଆମର ପୁଷ୍ଟିକର ଖାଦ୍ୟ ଗ୍ରହଣରେ ସହାୟକ ହେବା ସହ ପାରମ୍ପରିକ ଆଦିବାସୀ ଖାଦ୍ୟ ବିବିଧତା ଉପରେ ସଚେତନତା ମଧ୍ଯ ସୃଷ୍ଟି କରିବ।
କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ସତିଜା କହିଥିଲେ ଯେ, ‘ପ୍ରଜାତୀୟ ଖାଦ୍ୟୋତ୍ସବ’ ପରି ଏକ ନିଆରା ଆୟୋଜନ ଦ୍ଵାରା ଆମେ ଓଡ଼ିଶାର ଜନଜାତି ସମୁଦାୟ ମାନଙ୍କର କୃଷି-ବନ ଭିତ୍ତିକ ଖାଦ୍ୟ ବିବିଧତା ଉତ୍ସବ ପାଳନ କରୁଛୁ ଓ ଆଶା କରୁଛୁ ଯେ ଏହି ଉପକ୍ରମ ଆଦିବାସୀ ଖାଦ୍ୟ ଶୈଳୀକୁ ଉଜ୍ଜୀବିତ କରି ରଖିବାରେ ସହାୟକ ହେବ।
ଏହି ଏକଦିବସୀୟ କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାରେ ଝାଡ଼ଖଣ୍ଡରୁ ଆସିଥିବା ଲୋକପ୍ରିୟ ଆଦିବାସୀ ଗୀତିକାର, ସଙ୍ଗୀତଜ୍ଞ ତଥା ଗାୟକ ଟମ୍ ମୁର୍ମୁ ଗୋଟିଏ ପରେ ଗୋଟିଏ ନିଆରା ଆଦିବାସୀ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକପ୍ରତିନିଧି ଓ ଆଖପାଖ ଅଞ୍ଚଳର ଲୋକମାନଙ୍କ ସହ ଟାଟା ଷ୍ଟିଲ ମାଇନିଙ୍ଗର ବରିଷ୍ଠ ଅଧିକାରୀବୃନ୍ଦ ଓ ସେମାନଙ୍କର ପରିବାରବର୍ଗ ମଧ୍ଯ ସାମିଲ ହୋଇ ଉତ୍ସବର ମଜା ଉଠାଇଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.