ସାମଗ୍ରିକ ପ୍ରଦର୍ଶନରେ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ପ୍ରଥମ ସ୍ଥାନ ସହ ଟାଟା ଷ୍ଟିଲ ମାଇନିଂ ୭ଟି ପୁରସ୍କାରରେ ସମ୍ମାନିତ

109

ଭୁବନେଶ୍ୱର: ଅଗ୍ରଗାମୀ, ଦୀର୍ଘସ୍ଥାୟୀ ଓ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ସହିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍) ଭୁବନେଶ୍ୱର କ୍ଷେତ୍ରର ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସର ପ୍ରତ୍ୟେକ୍ଷ ତତ୍ତ୍ୱାବଧନାରେ ଭୁବନେଶ୍ୱରଠାରେ ଆୟୋଜିତ ୨୪ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମ୍‌ଇଏମ୍‌ସି) ସପ୍ତାହ ୨୦୨୨-୨୩ ପାଳନ ଅବସରରେ ସାମଗ୍ରିକ ପ୍ରଦର୍ଶନ ବିଭାଗରେ ପ୍ରଥମ ପୁରସ୍କାର ହାସଲ କରିଛି ।
ଗ୍ରୁପ୍-୨ ଅନ୍ତର୍ଗତ ଟିଏସ୍‌ଏମ୍‌ଏଲ୍ ସୁକିନ୍ଦା କ୍ରୋମାଇଟ୍ ଖଣି ସାମଗ୍ରିକ ପ୍ରଦର୍ଶନ ଓ ଦୀର୍ଘସ୍ଥାୟୀ ବିକାଶରେ ପ୍ରଥମ ପୁରସ୍କାର ଓ ବନୀକରଣରେ ଦ୍ୱିତୀୟ ଏବଂ ରକ୍ଲେମେସନ୍ ଓ ଥଇଥାନରେ ତୃତୀୟ ପୁରସ୍କାର ହାସଲ କରିଛି ।
ସେହିପରି ଗ୍ରୁପ୍-୪ ଅନ୍ତର୍ଗତ ସାରୁଅବିଲ କ୍ରୋମାଇଟ୍ ଖଣିକୁ ୱେଷ୍ଟ ଡମ୍ପ ପରିଚାଳନାରେ ପ୍ରଥମ ଏବଂ କମର୍ଦା କ୍ରୋମାଇଟ ଖଣିକୁ ୱେଷ୍ଟ ଡମ୍ପ ପରିଚାଳନା ଓ ରିକ୍ଲେମେସନ୍ ଏବଂ ୱେଷ୍ଟ ଡମ୍ପ୍‌ର ଥଇଥାନ ପାଇଁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ସଫଳତା ଉପରେ ଖୁସି ପ୍ରକାଶ କରି ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “୭ଟି ପୁରସ୍କାର ହାସଲ କରିବା ନିଶ୍ଚିତ ଭାବେ ଆମ ପାଇଁ ଏକ ଗର୍ବର ବିଷୟ । ଏହା ନିଶ୍ଚିତ ଭାବେ ଆମ ଟିମ୍ କୁ ଅଧିକ ପରିଶ୍ରମ ଓ ନୂତନ ମାଇଲଖୁଣ୍ଟ ହାସଲ କରିବାକୁ ପ୍ରୋତ୍ସାହିତ କରିବ ।”
ଏହାସହିତ ସେ କହିଛନ୍ତି ଯେ, “ଟାଟା ଷ୍ଟିଲ ମାଇନିଂ ସର୍ବଦା ଉତ୍କର୍ଷତାକୁ ଆପଣାଇବା ସହିତ ଏକ ଦାୟିତ୍ୱବାନ ଖନନ କମ୍ପାନୀ ଭାବେ ଉଭା ହୋଇଛି । ରୂପାନ୍ତରିତ ମୂଲ୍ୟବୋଧ ଦ୍ୱାରା ପରିଚାଳିତ ହେବା ସହିତ ଖଣି ପରିବେଶ ସୁରକ୍ଷା ଓ ଖଣିଜ ସଂରକ୍ଷଣ ଦିଗରେ ଆମେ ନିରନ୍ତର ଭାବେ କାର‌୍ୟ୍ୟ କରୁଛୁ । ଦୀର୍ଘସ୍ଥାୟୀ ଖନନ ପ୍ରକ୍ରିୟାର ପାଳନ କରି ସାମାଜିକ ସମାନତକୁ ଆମେ ସର୍ବଦା ଗୁରୁତ୍ୱ ଦେଇଆସିଛୁ ।”
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇବିଏମ୍‌ର ଚିଫ୍ କଣ୍ଟ୍ରୋଲର ଅଫ୍ ମାଇନ୍ସ ପଙ୍କଜ କୁଲଶ୍ରେଷ୍ଠ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଖଣି ବିଭାଗର ବରିଷ୍ଠ ମହା ପ୍ରବନ୍ଧକ ସୁଶାନ୍ତ କୁମାର ମିଶ୍ର, ସୁକିନ୍ଦା ଖଣି ବିଭାଗ ପ୍ରବନ୍ଧକ ସମ୍ଭୁନାଥ ଝା, ଖଣି (ଟ୍ୱିନ୍ ମାଇନ୍ସ) ବିଭାଗ ପ୍ରବନ୍ଧକ ନବୀନ ଶ୍ରୀବାସ୍ତବ ଏବଂ ଏଜିଏମ୍ (ଏସ୍‌ଏଚ୍‌ଇ) ଅଜୟ କୁମାର ବିଶ୍ୱମ୍ବରନାଥଙ୍କ ସହିତ ଟାଟା ଷ୍ଟିଲ ମାଇନିଂର ଅନ୍ୟ ଅଧିକାରୀମାନେ ପୁରସ୍କାର ଗ୍ରହଣ କରିଥିଲେ ।

Comments are closed, but trackbacks and pingbacks are open.