ଭୁବନେଶ୍ୱର ୧୩.୦୩.୨୦୨୦- ଆସନ୍ତା ୨୦୨୫ ଫେବୃୟାରୀ ସୁଦ୍ଧା ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ଏଥିପାଇଁ ରେଳବାଇ ପକ୍ଷରୁ ଦରକାର ଅନୁଯାୟୀ ଜମି ଅଧିଗ୍ରହଣ କରାଯାଉଛି । ଗତକାଲି ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।
ବିଧାୟକ ମୋହନ ଚରଣ ମାଝୀଙ୍କ ଏ ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ୨୦୦୩-୦୪ ଆର୍ଥିକ ବର୍ଷରେ ରେଳ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ହୋଇଥିବା ଏହି ପ୍ରକଳ୍ପ ଲାଗି ୮୧୦ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା । ତେବେ ୨୦୨୦-୨୧ ବର୍ଷରେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୧ହଜାର ୯୧୭ କୋଟି ୭୫ଲକ୍ଷ ଟଙ୍କା ରହିଥିବା ବେଳେ ଏଥିପାଇଁ ଅନୁଗୁଳ ଜିଲ୍ଲାରେ ଆବଶ୍ୟକ ୪୩ ଏକର ଜମି ଅଧିଗ୍ରହଣ କରାଯାଇଛି ଏବଂ ଏହି କାର୍ଯ୍ୟ ଚାଲୁ ରହିଛି ବୋଲି ମନ୍ତ୍ରୀ ବେହେରା ସୂଚନା ଦେଇଛନ୍ତି ।