ନୂଆଦିଲ୍ଲୀ . -ଭାରତର ୨୩ତମ ମୁଖ୍ୟ ନିର୍ବାଚନ କମିଶନର (ଉଋଉ) ଭାବେ ସୁନିଲ ଅରୋରା,ଓ.ପି. ରାୱତଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଓ.ପି. ରାୱତଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ୨୦୧୮ ଡିସେମ୍ବର ୧ ତାରିଖରେ ଅବସର ଗ୍ରହଣ କରିଛନ୍ତି ।
ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ଅରୋରା ନିର୍ବାଚନ କମିଶନରେ ୨୦୧୭ ସେପ୍ଟେମ୍ବର ୧ ତାରିଖରୁ ନିର୍ବାଚନ କମିଶନର ଭାବେ କାର୍ୟ୍ୟରତ ଥିଲେ । ତାଙ୍କ କାର୍ୟ୍ୟକାଳରେ ନିର୍ବାଚନ କମିଶନ ହିମାଚଳ ପ୍ରଦେଶ, ଗୁଜରାଟ, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ଏବଂ କର୍ଣ୍ଣାଟକରେ ସଫଳତାର ସହ ନିର୍ବାଚନ ଅନୁଷ୍ଠିତ ହୋଇଛି । ସେହିପରି ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମରେ ମଧ୍ୟ ର୍ନିବାଚନ ପ୍ରକ୍ରିୟା ଏବେ ବିଭିନ୍ନ ପର୍ୟ୍ୟାୟରେ ରହିଛି ଏବଂ ୨୦୧୮ ଡିସେମ୍ବର ୧୧ ତାରିଖରେ ଭୋଟ ଗଣତି ହେବ । ମୁଖ୍ୟ ନିର୍ବାଚନ କମିଶନର ଭାବେ ତାଙ୍କ କାର୍ୟ୍ୟକାଳ ମଧ୍ୟରେ ଦେଶରେ ସପ୍ତଦଶ ଲୋକସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହ ସିକିମ, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ମହାରାଷ୍ଟ୍ର, ହରିଆନା, ଝାଡ଼ଖଣ୍ଡ, ଦିଲ୍ଲୀ ଏନସିଟି, ବିହାର, ଜମ୍ମୁ ଏବଂ କାଶ୍ମୀର ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ ।
୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଅରୋରା ୧୯୮୦ ବ୍ୟାଚ୍ ରାଜସ୍ଥାନ କ୍ୟାଡରର ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ (ଓଇଝ) । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ୨୦୧୬ ଏପ୍ରିଲ ୩୦ ତାରିଖରେ ତାଙ୍କର ପଦୋନ୍ନତି ହୋଇଥିଲା । ୩୬ ବର୍ଷର କ୍ୟାରିଅର ମଧ୍ୟରେ ସେ ରାଜସ୍ଥାନ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହିଛନ୍ତି ।
ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବି, ଯଥା; ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ସଚିବ, ୨୦୦୨ ରୁ ୨୦୦୫ ପର୍ୟ୍ୟନ୍ତ ଇଣ୍ଡିଆନ ଏୟାରଲାଇନ୍ସର ଚେୟାରମ୍ୟାନ ଏବଂ ମ୍ୟାନେଜିଂ ଡିରେକ୍ଟର, ଏୟାର ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏବଂ ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେସନର ନିର୍ଦ୍ଦେଶକ ମଣ୍ଡଳୀରେ ସଦସ୍ୟ ଭାବେ କାର୍ୟ୍ୟ କରିଛନ୍ତି । ସେ ମଧ୍ୟ ୨୦୧୩ ରୁ ୨୦୧୫ ପର୍ୟ୍ୟନ୍ତ ରାଜସ୍ଥାନ ରାଜ୍ୟ ଉଦ୍ୟୋଗ ବିକାଶ ଏବଂ ନିବେଶ ନିଗମର ଚେୟାରମ୍ୟାନ ଏବଂ ୨୦୧୩ ରୁ ୨୦୧୪ ପର୍ୟ୍ୟନ୍ତ ରାଜସ୍ଥାନ ସରକାରଙ୍କ ଗୃହ ବିଭାଗ ଅତିରିକ୍ତ ପ୍ରମୁଖ ସଚିବ ତଥା ଅନ୍ୟାନ୍ୟ ପଦବିରେ ରହିଛନ୍ତି ।
ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ଅରୋରା ଏକ ବିବୃତିରେ କହିଛନ୍ତି ଯେ, ‘ଆମେ ସମସ୍ତେ ଜାଣିଛନ୍ତି ଆମ ସମ୍ବିଧାନର ପ୍ରତିଷ୍ଠାତା ୧୯୫୦ ମସିହା ଜାନୁଆରୀ ୨୫ ତାରିଖରେ ନିର୍ବାଚନ କମିଶନ ପ୍ରତିଷ୍ଠା କରିଥିଲେ । ବିଗତ ବର୍ଷ ମାନଙ୍କରେ ଅନେକ ମୁଖ୍ୟ ନିର୍ବାଚନ କମିଶନର, ନିର୍ବାଚନ କମିଶନର, କମିଶନରେ ତଥା କ୍ଷେତ୍ରରେ କାର୍ୟ୍ୟ କରିଥିବା ଅଧିକାରୀଗଣଙ୍କ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ନିର୍ବାଚନ କମିଶନ ଆଜି ଏକ ଉଦାହରଣ ଯୋଗ୍ୟ ସଂସ୍ଥା ଭାବେ ଛିଡ଼ା ହୋଇପାରିଛି । ସମଗ୍ର ଗଣତାନ୍ତ୍ରିକ ବିଶ୍ୱର ଏହା ଉପରେ ନଜର ରହିଛି ଏବଂ ଯେଉଁ ଦେଶ ଗୁଡ଼ିକ ଗଣତନ୍ତ୍ର ଦିଗକୁ ଅଗ୍ରସର ହେବାକୁ ଇଚ୍ଛା କରୁଛନ୍ତି ସେମାନଙ୍କ ପାଇଁ ଏହା ଆଶାର ଆଲୋକ ପାଲଟିଛି । ମୁଁ ଦାୟିତ୍ୱ ବଦ୍ଧତାର ସହ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ଗ୍ରହଣ କରୁଛି । ମୁଁ ପ୍ରାୟ ଏକ ବର୍ଷ ହେବ ନିର୍ବାଚନ କମିଶନର ଭାବେ କାର୍ୟ୍ୟ କରୁଛି । ଏହି କ୍ଷେତ୍ରରେ ମୁଁ କେବଳ ଏତିକି କହିବି ଯେ, କମିଶନରେ ଆମେ ସମସ୍ତେ ବିଭିନ୍ନ ପକ୍ଷଙ୍କ ଆଶା ଅନୁଯାୟୀ ଶ୍ରେଷ୍ଠତାର ପ୍ରଦର୍ଶନ ସ୍ୱରୂପ କାର୍ୟ୍ୟ କରିବୁ, ବିଶେଷ କରି ସମ୍ବିଧାନର ନୀତି ଓ ବିଚାରଧାରାରେ ଆମେ କାର୍ୟ୍ୟ କରିବୁ ।
ଆମେ ଏହା ମଧ୍ୟ ଜାଣୁ ଯେ ଆଗକୁ ଲୋକସଭା ନିର୍ବାଚନ ଆସୁଛି । କିଛି ଦିନ ତଳେ ଏହାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଇଆର, ଇଭିଏମ୍ ଏବଂ ଭିଭିପାଟ ପ୍ରତ୍ୟେକ ସ୍ତରରେ ଆମେ ନିଖୁଣ ଭାବେ ଏହାର ପ୍ରସ୍ତୁତି କରିବୁ । ଭିନ୍ନକ୍ଷମ, ଯବାନଙ୍କ ସମେତ ସମସ୍ତଙ୍କ ପାଇଁ ମୁକ୍ତ, ଅବାଧ, ନିରପେକ୍ଷ, ସ୍ୱଚ୍ଛ ଏବଂ ନୀତିଗତ ନିର୍ବାଚନର ସୁବିଧା ଦେବାକୁ ପ୍ରତିଶ୍ରୁତିବଦ୍ଧ । ପରବର୍ତ୍ତୀ କମିଶନର ଭାବେ ନିଯୁକ୍ତି ପାଇଥିବା ମୋ ବ୍ୟାଚ୍ ମେଟ୍ ଅଶୋକ ଲାଭାସ ଜୀଙ୍କ ସମେତ କମିଶନର ଅନ୍ୟ ମାନଙ୍କ ଠାରୁ ମୁଁ ଉଚିତ ସହଯୋଗ କାମନା କରୁଛି । ରାଜନୈତିକ ଦଳ, ଏନଜିଓ, ସିଭିଲ ସୋସାଇଟି, ଗଣମାଧ୍ୟମ ଏବଂ ଲୋକସଭା ନିର୍ବାଚନ ସହ ଜଡ଼ିତ ଥିବା ଅନ୍ୟ ସମସ୍ତ ପକ୍ଷଙ୍କ ଠାରୁ ମଧ୍ୟ ମୁଁ ସହଯୋଗ ଆଶା କରୁଛି । ଆପଣ ସମସ୍ତଙ୍କ ଆଶୀର୍ବାଦ ବ୍ୟତୀତ ଅନ୍ୟକିଛି ବର୍ତ୍ତମାନ ସମୟରେ ମୁଁ ଲୋଡ଼ୁନାହିଁ । ଏଠାରେ ଗୋଟିଏ ପ୍ରସଙ୍ଗ ମୁଁ ଉଠାଇବାକୁ ଚାହୁଁଛି, ଲୋକପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬ର ବିଭିନ୍ନ ଦିଗକୁ ସମୀକ୍ଷା କରିବା ସକାଶେ ବରିଷ୍ଠ ଡେପୁଟି ନିର୍ବାଚନ କମିଶନର ଶ୍ରୀ ଉମେଶ ସିହ୍ନା ଜୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ୨୦୧୮ ଡିସେମ୍ବର ୩୦ ତାରିଖ ସୁଦ୍ଧା କମିଟି ଏହି ରିପୋର୍ଟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଧନ୍ୟବାଦ