ଦ୍ୱିତୀୟ ଦିନରେ ଯାତ୍ରା ୧୧ଟି ଶିକ୍ଷାନୁଷ୍ଠାନର, ୧୦୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୨୭ଟି ନୂତନ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିଛି
ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆଜି ଦ୍ୱିତୀୟ ଦିବସରେ ଭୁବନେଶ୍ୱରର ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଛନ୍ତି । ବର୍ତମାନ ସୁଦ୍ଧା ଏହି ଯାତ୍ରା ରାଜ୍ୟର ୨୬ଟି ଶିକ୍ଷାନୁଷ୍ଠାନରେ ପହଁଚି ୨୩୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ କରିପାରିଛି । ଦ୍ୱିତୀୟ ଦିନରେ ଏହି ଯାତ୍ରା ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ୧୧ଟି ଶିକ୍ଷାନୁଷ୍ଠାନର, ୧୦୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୨୭ଟି ନୂତନ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ର ଶୁଭାରମ୍ଭ କରିବା ପରେ ମଙ୍ଗଳବାରଠାରୁ ଭ୍ୟାନ୍ଗୁଡ଼ିକ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ ଆରମ୍ଭ କରିଛନ୍ତି । ଦ୍ୱିତୀୟ ଦିନରେ ଏହି ଯାତ୍ରା ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ବିଭିନ୍ନ ଶିକ୍ଷାନୁଷ୍ଠାନ ଯେପରିକି, ଉତ୍କଳ ବିଶ୍ୱବିଦ୍ୟାଳୟ, ସୋଆ ବିଶ୍ୱବିଦ୍ୟାଳୟ, ଆଇଆଇଆଇଟି ଭୁବନେଶ୍ୱର, ଆଇଏଚ୍ଏମ୍, ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ, ଆଇଟିଇଆର୍, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ, ସ୍କିଲ ଡେଭେଲପମେଂଟ୍ ସେଂଟର, ଆଇଆଇଟି ଭୁବନେଶ୍ୱର, ଓୟୁଏଟି ଓ ବିଶ୍ୱ ଦକ୍ଷତା କେନ୍ଦ୍ରରେ ପହଂଚିଥିଲା ।
ଏହି ଯାତ୍ରାରେ ଛାତ୍ରଛାତ୍ରୀମାନେ ନିଜ ଷ୍ଟାର୍ଟଅପ କ୍ଷେତ୍ରରେ ନିଜର ଆଇଡିଆକୁ ଉପସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ । ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରାରେ ଛାତ୍ରଛାତ୍ରୀମାନଙ୍କଠାରୁ ଆଇଡିଆ ସଂଗ୍ରହ କରାଯିବାକୁ ଥିବାବେଳେ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ରେ ସେମାନଙ୍କ ଭିତରେ ଉଦ୍ୟମିତା ଭାବ ଜାଗ୍ରତ କରାଯିବ ।

ଯାତ୍ରା ଆଗକୁ ବଢ଼ୁଥିବାବେଳେ ଆସନ୍ତା କାଲି ଅର୍ଥାତ୍ ତୃତିୟ ଦିନ ଏହା ଭୁବନେଶ୍ୱରର ଆଉ ଅନେକ ଶିକ୍ଷାନୁଷ୍ଠାନ ଯେପରିକି, ସିଭି ରମନ୍ ଗ୍ଲୋବାଲ ୟୁନିଭର୍ସିଟି, ଗୀତା, ଗାନ୍ଧି ଇଞ୍ଜିନିୟରିଂ କଲେଜ୍, ର୍ବିଲା ଗ୍ଲୋବାଲ ୟୁନିଭର୍ସିଟି, ଏସଟିପିଆଇ. ଓୟୁଟିଆର ୟୁନିଭର୍ସିଟି, ଆଇଏମଆଇ ଭୁବନେଶ୍ୱର, ସିଟିଟିସି, ସିପେଟ୍, ଜିଆଇଇଟି ବଣିଆଟାଙ୍ଗି, ଏନଆଇଆଇଏସ, ଆଇଆଇଟିଟିଏମ ଏବଂ ଜିଆଇଇଟି ଗୋଠପାଟଣା ପରିଦର୍ଶନ କରିବ ।
Comments are closed, but trackbacks and pingbacks are open.