ରାଜ୍ୟରେ ଖୁବଶୀଘ୍ର ସ୍ୱତନ୍ତ୍ର ଶିଶୁ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କିତ କର୍ମଶାଳାର ମୁଖ୍ୟଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି । ଆସନ୍ତା ୨୦୩୦ ସୁଦ୍ଧା ରାଜ୍ୟକୁ ବାଲ୍ୟବିବାହ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି । ପ୍ରତ୍ୟେକ ଶିଶୁର ଅଧିକାର ପଢ଼ିବା, ବଢ଼ିବା ଓ ସୁରକ୍ଷିତ ରହିବା । ତେଣୁ ଦାୟିତ୍ୱରେ ଥିବା ପ୍ରତ୍ୟେକ ବିଭାଗର ଅଧିକାରୀ ମାନେ ନିଷ୍ଠାର ସହ କାର୍ଯ୍ୟକରି ଯେପରି ଶିଶୁର ଅଧିକାର କ୍ଷୁର୍ଣ୍ଣ ନହୁଏ ତାହା ସୁନିଶ୍ଚିତ କରିବାକୁ ଶ୍ରୀମତି ପ୍ରଧାନ ପରାମର୍ଶ ଦେଇଥିଲେ ।
ବ୍ୟାପକ ସଚେତନତା ଦ୍ୱାରା ଶିଶୁ ଅଧିକାର ଓ ଯତ୍ନକୁ ସୁରକ୍ଷିତ ରଖାଯାଇ ପାରିବ । ବାଲ୍ୟବିବାହ ମୁକ୍ତ ଓ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଗଠନ ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ସୁଚନା ଦେଇଥିଲେ ।